ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ! ଋଷ-ଆମେରିକା ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ମରିବେ ୫୦୦ କୋଟିରୁ ଅଧିକ ଲୋକ
![](https://thetruths.in/wp-content/uploads/2022/08/Nuclear-War.jpg)
ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ପ୍ରାୟ ୨୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବ
ନୂଆଦିଲ୍ଲୀ : ଆପଣ ଆପଣଙ୍କର ଘରର ଡ୍ରଇଂ ରୁମରେ ବସିଛନ୍ତି ଓ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିବ ଏବଂ ଦେଖୁ ଦେଖୁ ଶରୀରର ଚର୍ମ ଜଳି ପାଉଁଶ ହୋଇଯାଉଥିବ, ଆଉ ଚାରିଆଡ଼େ କେବଳ ଧୂଆଁ ହିଁ ଧୂଆଁ … ଚିତ୍କାର କରିବାକୁ ମଧ୍ୟ ସମୟ ମିଳିବ ନାହିଁ । ଲକ୍ଷ ଲକ୍ଷ କୋଟି କୋଟି ଲୋକ ଗୋଟିଏ ମୁହୂର୍ତ୍ତରେ ଚିର ନିଦ୍ରାରେ ଶୋଇଯାଇଥିବେ । ଖାଇବାକୁ ଖାଦ୍ୟ ନାହିଁ… ଲୋକମାନେ ଆଖି ସାମ୍ନାରେ ମରୁଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ଉପାୟ ନାହିଁ ।
ଏପରି କିଛି ହୋଇଥିଲା ଅଗଷ୍ଟ ୧୯୪୫ରେ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଏହି ବୋମା ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମଧ୍ୟ ଲୋକମାନେ ବର୍ଷ ବର୍ଷ ଧରି ମରୁଥିଲେ । ଅର୍ଥାତ ପରମାଣୁ ବୋମାର ପ୍ରଭାବ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ରହିଥିଲା ।
ଗୋଟିଏ ପଟେ ପରମାଣୁ ଯୁଦ୍ଧକୁ ନେଇ ଲୋକମାନେ ଭୟଭୀତ ଅଛନ୍ତି । ଅନ୍ୟପଟେ ଏକ ନୂତନ ଅଧ୍ୟୟନ ଲୋକଙ୍କୁ ଅଧିକ ଚିନ୍ତାରେ ପକାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଋଷ ଓ ଆମେରିକା ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତେବେ ପାଞ୍ଚ ବିଲିୟନ ଅର୍ଥାତ ୫୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବ । ତେବେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ କେବଳ ବୋମା ନୁହେଁ ଦୁର୍ଭିକ୍ଷ ମଧ୍ୟ ହେବ । ଏହାସହ ଯଦି କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତେବେ ପ୍ରାୟ ୨୦୦ କୋଟି ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଅନୁମାନ କରାଯାଇଛି ।
ରୁଟଗର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୬ଟି ସମ୍ଭାବ୍ୟ ପରମାଣୁ ଯୁଦ୍ଧର ପ୍ରଭାବକୁ ମ୍ୟାପ୍ କରିଛନ୍ତି । ନେଚର ଫୁଡ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଆମେରିକା ଓ ଋଷ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଯୁଦ୍ଧ, ସବୁଠାରୁ ଖରାପ ସ୍ଥିତି ହେବ । ଏହା ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଶେଷ କରିଦେବ ।
ଅଧ୍ୟୟନ ଅନୁଯାୟୀ, ଏହି ଅନୁମାନର ଗଣନା ପରମାଣୁ ବିସ୍ଫୋରଣ ଯୋଗୁଁ ଉତ୍ପନ୍ନ ହେବା କଳା ଧୂଆର ବାୟୁମଣ୍ଡଳକୁ ଯିବା ଆଧାରରେ କରାଯାଇଛି । ଅନୁସନ୍ଧାନକାରୀମାନେ ନ୍ୟାସନାଲ ସେଣ୍ଟର ଫର ଆଟମୋସଫେରିକ ରିସର୍ଚ୍ଚ ଦ୍ୱାରା ସମର୍ଥିତ ଜଳବାୟୁ ପୂର୍ବାନୁମାନ ଉପକରଣ ବ୍ୟବହାର କରିଥିଲେ, ଯାହା ସେମାନଙ୍କୁ ପ୍ରତ୍ୟେକ ଦେଶରେ ଆଧାର ଉପରେ ପ୍ରମୁଖ ଫସଲର ଉତ୍ପାଦନ ଆକଳନ କରିବାକୁ ଅନୁମତି ଦେଇଥିଲା ।
ଏପରିକି ଯଦି ଅଳ୍ପ ସ୍ତରରେ ଯୁଦ୍ଧ ହୁଏ ତେବେ ମଧ୍ୟ ସାରା ଦୁନିଆରେ ଖାଦ୍ୟ ସଙ୍କଟର ବିନାଶକାରୀ ପରିଣାମ ଦେଖିବ । ଅଧ୍ୟୟନ ଅନୁଯାୟୀ, ଯଦି ଭାରତ ଓ ପାକିସ୍ଥାନ ମଧ୍ୟରେ କେବଳ ଏକ ଛୋଟ ପରମାଣୁ ଯୁଦ୍ଧ ହୁଏ, ତେବେ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ ଫସଲ ଉତ୍ପାଦନର ସାତ ପ୍ରତିଶତ ହ୍ରାସ ଘଟିବ । ଅନ୍ୟପକ୍ଷେ ଋଷ ଓ ଆମେରିକା ଯୁଦ୍ଧରେ ୩-୪ ବର୍ଷରେ ୯୦ ପ୍ରତିଶତ ଫସଲ ଉତ୍ପାଦନ ହ୍ରାସ ପାଇବ ।