ଆଜିଠୁ ମୌସୁମୀର ଲେଉଟାଣି, ୮ ଦିନ ବିଳମ୍ବରେ ଆରମ୍ଭ ହେଲା ଅପସାରଣ ପ୍ରକ୍ରିୟା
![](https://thetruths.in/wp-content/uploads/2022/05/Monsoon.jpg)
ନୂଆଦିଲ୍ଲୀ :ଆଜିଠୁ ମୌସୁମୀର ଲେଉଟାଣି । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି।ଚଳିତ ବର୍ଷ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଲେଉଟିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାଧାରଣତଃ ସେପ୍ଟେମ୍ବର ୧୭ ତାରିଖ ମୌସୁମୀ ଫେରିବା ସମୟ ଅଟେ, କିନ୍ତୁ ଚଳିତ ବର୍ଷ ଏଥିରେ ବିଳମ୍ବ ହୋଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତ ଛୁଇଁଥିଲା ମୌସୁମୀ । ଗତ ଜୁଲାଇ ୨ ତାରିଖରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ପ୍ରାୟ ୮୫ ଦିନ ପରେ ଅର୍ଥାତ୍ ଚଳିତ ବର୍ଷ ୮ ଦିନ ବିଳମ୍ବରେ ମୌସୁମୀର ଲେଉଟିବା ପ୍ରକିୟା ଆରମ୍ଭ ହୋଇଛି । ଆଗକୁ ଦେଶର ଅନ୍ୟ ଭାଗରୁ ମଧ୍ୟ ମୌସୁମୀ ବିଦାୟ ନେବ । ଅନ୍ୟପଟେ ଓଡ଼ିଶାରୁ କେବେ ମୌସୁମୀ ବାୟୁ କେବେ ପ୍ରତ୍ୟାବର୍ତ୍ତନ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସାଧାରଣତଃ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରୁ ଫେରିଥାଏ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପ ଓ ଅବପାତର ରୂପ ନେଇପାରେ । ଏହାପରେ ଓଡ଼ିଶାରୁ ମୌସୁମୀର ଲେଉଟାଣି ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏଁ ସ୍ବାଭାବିକ ବର୍ଷା ହୋଇଛି ।
ପ୍ରକାଶ ଥାଉ କି, ସୋମବାର ଦିନ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧା, ବରଗଡ଼, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ଗଜପତି, ଝାରସୁଗୁଡ଼ା, ଭଦ୍ରକ, କଳାହାଣ୍ତି, ଗଞ୍ଜାମ ଓ ବରଗଡ଼ ଆଦି ଜିଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ତେବେ ମଙ୍ଗଳବାର ଦିନ ମଧ୍ୟ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।