କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର : ୨୮%କୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା
![](https://thetruths.in/wp-content/uploads/2021/07/Expensive-Allowance.jpg)
ନୂଆଦିଲ୍ଲୀ : ମହାମାରୀ କରୋନା ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ, ଯେଉଁମାନେ ମାସ ମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର । ଯଦିଓ ଏହି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି, ତଥାପି କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେପ୍ଟେମ୍ବରରୁ ଏହି ଡିଏର ଲାଭ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କ୍ୟାବିନେଟ୍ ଅନୁମୋଦନ ପୂର୍ବରୁ ତିନିଟି ଡିଏ କିସ୍ତି ବାକି ରହିଥିଲା ବୋଲି ଜଣାପଡ଼ିଛି । ଗତବର୍ଷରୁ ଗୋଟିଏ ଏବଂ ଚଳିତ ବର୍ଷ ଦୁଇଟି କିସ୍ତି ବାକିଥିବା ଜଣାଯାଇଛି । ଆଜି ତିନିଟି ବିଚାରାଧୀନ କିସ୍ତିର ଅଂଶ ଭାବରେ ୧୧ ପ୍ରତିଶତ ଡିଏ ବୃଦ୍ଧିକୁ ଅନୁମୋଦନ କରାଯାଇଛି । ସପ୍ତମ ବେତନ କମିସନ ଅଧୀନରେ ମହଙ୍ଗା ଭତ୍ତା ଜୁଲାଇରେ ପୁନଃ ସ୍ଥାପିତ ହେବ ବୋଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।
କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ଟି କିସ୍ତିରେ ଆସିବାର ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ବର୍ତ୍ତମାନ ମହଙ୍ଗା ଭତ୍ତା ବୃଦ୍ଧି ପରେ ଆସନ୍ତା ସେପ୍ଟେମ୍ବର ମାସରୁ ଅଧିକ ବେତନ ଆସିବ ବୋଲି ଅନୁମାନ କରାଯାଉଛି । ମହାମାରୀ କରୋନା ପାଇଁ ୨୦୨୦ ମସିହା ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ବା ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ୨୦୨୧ ଜୁଲାଇ ୧ ତାରିଖ ଯାଏଁ ଏହା ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ । ତେବେ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ଠାରୁ କେନ୍ଦ୍ର କର୍ମଚାରୀମାନଙ୍କୁ ଏହି ଲାଭ ପୁଣି ଥରେ ମିଳିପାରେ । ସୂଚନା ଯେ, ମହାମାରୀ କରୋନା ସମୟରେ ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି । ଏହାରି ମଧ୍ୟରେ ଦରଦାମ ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି । ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିପାଇବାରେ ଲାଗିଛି । ଖାଇବା ତେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହେଲାଣି । ତେଣୁ ଏହାରି ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ସରକାରଙ୍କ ଉପରେ ଚାପ ପଡିବ ।