ନାବାଳିକା ବଳାତ୍କାର ମାମଲା; ଅଭିଯୁକ୍ତ ବଡ଼ଭାଇକୁ ୭ବର୍ଷ ଜେଲ୍ ଦଣ୍ଡ
![](https://thetruths.in/wp-content/uploads/2022/11/Pocso-Court.jpg)
ବାଲେଶ୍ୱର : ନାବାଳିକା ବଳାତ୍କାର ମାମଲା । ଅଭିଯୁକ୍ତ ବଡ଼ଭାଇକୁ ଜେଲ୍ ଦଣ୍ଡ । ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନସ୍ତ ଗାଙ୍ଗୁଡ଼ା ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକାକୁ ବଡ଼ବାପାଙ୍କ ପୁଅ ବଡ଼ଭାଇ ବଳାତ୍କାର କରି ୭ମାସର ଗର୍ଭବତୀ କରିଥିବା ମାମଲାରେ ଶୁଣାଣି କରି ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ପୋକ୍ସ) ରଞ୍ଜନ କୁମାର ସୁତାର ଅଭିଯୁକ୍ତକୁ ୭ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଅନାଦେୟ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ଉକ୍ତ ନାବାଳିକାର ମା’ବାପା କୌଣସି କାର୍ଯ୍ୟରେ ବାଲେଶ୍ୱର ସହର ପଢୁଆଁପଦା ସ୍ଥିତ ମାମୁଁ ଘରକୁ ଆସିଥିଲେ । ଘରେ ଏକୁଟିଆ ନାବାଳିକା ଝିଅ ରହିଥିଲା । ସନ୍ଧ୍ୟା ସମୟରେ ରୁମ୍ରେ ଟିଭି ଦେଖୁଥିବା ବେଳେ ବଡ଼ବାପାଙ୍କ ପୁଅ ବଡ଼ଭାଇ ଘର ଭିତରକୁ ଆସି କବାଟ ବନ୍ଦ କରି ଟିଭିର ସାଉଣ୍ଡ ବଢ଼ାଇ ଦେଇଥିଲା । ପରେ ନାବାଳିକା ଭଉଣୀକୁ ବଳାତ୍କାର କରିଥିଲା । କିଛି ସମୟ ପରେ ନାବାଳିକା ଘରୁ ବାହାରି ଦାଦାଙ୍କୁ ଜଣାଇଥିଲେ ମଧ୍ୟ ସେ ଏହି ଘଟଣା କାହାରିକୁ କହିଲେ ଜୀବନରୁ ମାରିଦେଇ ନଦୀ ଫିଙ୍ଗିଦେବାର ଧମକ ଦେଇଥିଲା । ଡରରେ ନାବାଳିକା ଜଣକ କାହାରିକୁ କିଛି ନ କହି ଚୁପ୍ଚାପ୍ ରହିଥିଲା । ଦୀର୍ଘ ୭/୮ମାସ ପରେ ନାବାଳିକ ଝିଅ ଗର୍ଭବତୀ ଥିବାର ଜାଣିପାରି ସମସ୍ତ ଘଟଣା ଅବଗତ ହେଲେ । ଏନେଇ ବସ୍ତା ଥାନାରେ ଗତ ୨୦୧୭ ଜୁଲାଇ ୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ମାମଲା (ନଂ. ୨୨୨ ।୨୦୧୭) ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିଲା । ଶୁକ୍ରବାର ଉକ୍ତ ମାମଲାକୁ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ପୋକ୍ସ) ରଞ୍ଜନ କୁମାର ସୁତାର ଶୁଣାଣି କରି ଅଭିଯୁକ୍ତ ଭାଇକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।