ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ, ସତୀଚଉରାରେ ସଂପନ୍ନ ହେଲା ଶେଷକୃତ୍ୟ
କଟକ : ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । ଛଳଛଳ ଆଖିରେ ବିିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। କଟକ ସତୀଚୈରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ନେଲେ ଶେଷ ବିଦାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅର୍ନର ଦିଆଯାଇଛି ।
ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର। ପରେ ସତୀଚଉରା ଶ୍ମଶାନଠାରେ ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ହୋଇଛି। ଏନେଇ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଶେଷ ବିଦାୟ ନେଇ ବର୍ଷୀୟାନ୍ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। ମିହିରଙ୍କୁୁ ହରାଇ କେବଳ ଓଡ଼ିଶାବାସୀ ନୁହନ୍ତି ଆଜି ଆକାଶ ବି କାନ୍ଦୁଛି। ହେଲେ ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ। ଗତ ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଯେ, ମଙ୍ଗଳବାର ୬୩ ବର୍ଷରେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ଡାଇଵେଟିସରେ ପୀଡିତ ଥିବା ବେଳେ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିଲା । ଡିସେମ୍ବର ୮ ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ବପୁର୍ଣ୍ଣ ଅଙ୍ଗ ଗୁଡ଼ିକ କାମ କରିବା ବନ୍ଦ କରିଦେବା ପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ମିହିରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।