ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସହିଦ ଟୁପେଶ୍ୱର ଭୁଏଙ୍କ ଶେଷକୃତ୍ୟ ସମ୍ପନ୍ନ
ବରଗଡ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଁଗଡ଼ ଗାଁର ବୀର ଯବାନ ଟୁପେଶ୍ୱର ଭୁଏଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ । ଜମ୍ମୁକାଶ୍ମୀର ଠାରେ ଲାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଟୁପେଶ୍ୱରଙ୍କ ମରଶରୀର ବୁଧବାର ତାଙ୍କ ଜନ୍ମମାଟିରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗାଁ ପରିକ୍ରମା କରି ପାଖ ପଡିଆରେ ହିନ୍ଦୁ ରୀତିନୀତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ୨୦୦୯ ମସିହାରୁ ସହୀଦ ଟୁପେଶ୍ୱର ଭୁଏ ମାତ୍ର ୧୮ ବର୍ଷ ବୟସରେ ଦେଶର ସୀମା ସୁରକ୍ଷା ବହିନୀରେ ଯୋଗ ଦେଇଥିଲେ । ପରେ ସେ ଜମ୍ମୁକାଶ୍ମୀରର ରାଜୌରିଠାରେ ଡିଜି କମାଣ୍ଡର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଗତ ଦେଢ଼ ମାସ ଆଗରୁ ସେ ନିଜ ଗାଁକୁ ଆସିଥିଲେ ।
ସୂଚନା ଯେ, ଗତ ୧୦ ତାରିଖରେ ଜମ୍ମୁକାଶ୍ମୀରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଦିନ ଆଗରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ତାଙ୍କର ମରଶରୀର ନିଜ ଗାଁ ନୂଆଁଗଡ଼ରେ ପହଂଚିବା ପରେ ସବୁଆଡେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ମରଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ଏହି ସମୟରେ ବହୁ ଲୋକ ତାଙ୍କ ଶେଷ ଦର୍ଶନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗାଁ ପାଖ ପଡ଼ିଆରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବରଗଡ଼ ଜିଲ୍ଲାପାଳଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କର ପୁତୁରା ଓମ ଭୁଏ ସହିଦଙ୍କୁ ମୁଖାଗ୍ନି ଦେଇଥିଲେ ।