ମଣିପୁରରେ ଥମୁନି ହିଂସା, ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା
![](https://thetruths.in/wp-content/uploads/2023/08/Manipur-violence.jpg)
ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ରାଜ୍ୟର ବିଷ୍ଣୁପୁର ଜିଲାରେ ଶୁକ୍ରବାର ରାତିରେ ଘଟିଥିବା ହିଂସାରେ ତିନି ଜଣଙ୍କ ମୃତ୍ୟୁ । ମୃତକମାନେ ମୈତେଇ ସମ୍ପ୍ରଦାୟର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳକୁ ଆସିଥିଲେ ଓ ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତମାନେ ଅନେକ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।
ପୋଲିସ ସୂଚନା ଅନୁଯାୟୀ ବିଷ୍ଣୁପୁରର କ୍ୱାକଟା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ବଫର ଜୋନରେ ପଶି କିଛି ଲୋକ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ-ପୁଅ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟ ବିଷ୍ଣୁପୁରରେ ଏକ ଭିଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ।
ଏହା ପୂର୍ବରୁ ଗତ ୩ ତାରିଖ ସନ୍ଧ୍ୟାରେ ବିଷ୍ଣୁପୁରର କିଛି ଅଞ୍ଚଳରେ ଫାୟାରିଂ କରାଯାଇଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା ଉପଦ୍ରବକାରୀମାନେ ଜିଲାର ଦ୍ୱିତୀୟ ଆରଇଆରବି ୟୁନିଟ ଉପରେ ଆକ୍ରମଣ କରିବା ସହିତ ଗୁଳି, ବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ୪୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ୫ ଲକ୍ଷରୁ ଅଧିକ ଗୋଳାବାରୁଦ ଲୁଟିନେଇଥିଲେ ।ଏହି ସମୟରେ ୧୯ ଜଣ ଆହତ ହୋଇଥିଲେ ।
ସୂଚନା ଯେ, ମଣିପୁରରେ ଲଗାତାର ୩ ମାସ ହେଲାଣି ହିଂସା ଜାରି ରହିଛି । ମଣିପୁରରେ ଗତ ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ମଣିପୁରରେ ପାଖାପାଖି ୫୩ ପ୍ରତିଶତ ମେତେଇ ସମୁଦାୟର ଲୋକ ରହିଛନ୍ତି । ଅଧିକାଂଶ ଲୋକ ଇମ୍ଫାଲ ଘାଟିରେ ରହୁଛନ୍ତି । ମଣିପୁରର କାଙ୍ଗପୋକପି ଜିଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ କୁକି-ଜୋମି ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯିବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା ।