ମମିତା ମେହେର ହତ୍ୟାକାଣ୍ଡ ମାମଲା : ପୁଣି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ
![](https://thetruths.in/wp-content/uploads/2021/12/Govind-Sahu.jpg)
ବଲାଙ୍ଗୀର : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ କଲେ କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟ। ମହାଳିଙ୍ଗ ସନ୍ସାଇନ୍ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଏବେ କଣ୍ଟାବାଞ୍ଜି ଉପ କାରାଗାରରେ ବିଚାରଧିନ କଏଦୀ ଭାବରେ ରହିଛି । ପୂର୍ବରୁ ମଧ୍ୟ ତାର ଜାମିନ ଆବେଦନ ବଙ୍ଗୋମୁଣ୍ଡା ଫାଷ୍ଟ ଟ୍ରାକ କୋର୍ଟ ଖାରଜ କରିଥିଲେ । ଏହାପରେ ଗୋବିନ୍ଦ ସାହୁ ତାର ଓକିଲ ଜରିଆରେ ପୁଣି କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ଜାମିନ ଆବେଦନ କରିଥିଲା ।
ମଙ୍ଗଳବାର କୋର୍ଟ ଏହି ଆବେଦନର ଶୁଣାଣି କରି ଆବେଦନ ଖାରଜ କରିଛନ୍ତି । ଗୋବିନ୍ଦ ସାହୁ ଜଣେ ପ୍ରଭାବଶାଳୀ ଲୋକ । ପୂର୍ବରୁ ମଧ୍ୟ ସେ ପୋଲିସ ହାଜତରୁ ଫେରାର୍ ହୋଇଥିଲା । ଜାମିନ ମିଳିଲେ ଆଗକୁ ମଧ୍ୟ ସେ ଫେରାର ହେବାର ସମ୍ଭାବନା ରହିଛି । ତା ସହିତ ସାକ୍ଷ୍ୟଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବାର ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ । ସେହିପରି ପୋଲିସ୍ ମଧ୍ୟ କୋର୍ଟରେ ଗୋବିନ୍ଦ ବିରୋଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲା । ସମସ୍ତ ତଥ୍ୟକୁ ଆଖି ଆଗରେ ରଖି ଏଡ଼ିଜେ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅନ୍ୟପଟେ ଗୋବିନ୍ଦ ସାହୁର ଓକିଲ ଏ ବାବଦରେ ସବିଶେଷ ଆଲୋଚନା ପରେ ପୁଣି ଆଗକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।