ପାର୍ଥ ଚାଟ୍ଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇଲେ ମମତା
![](https://thetruths.in/wp-content/uploads/2022/07/CM-Mamata-Banarjee-Minister-Partha-Chatterjee.jpg)
କଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟ୍ଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଟାଇ ଦେଇଛନ୍ତି । ଇଡି ଗିରଫ କରିବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହେଉଥିଲା । ଇତିମଧ୍ୟରେ ମମତା କ୍ୟାବିନେଟ ବୈଠକ ଡକାଇଥିଲେ । ଉକ୍ତ ବୈଠକର କିଛି ସମୟ ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନେଇ ଆଦେଶ ଜାରି କରାଯାଇଛି । ବିଭିନ୍ନ ମହଲରୁ ଚାପ ପରେ ମମତା ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି । ସୂଚନା ଯେ, ମମତାଙ୍କ କ୍ୟାବିନେଟରେ ପାର୍ଥ ଚାଟ୍ଟାର୍ଜୀ ଉଦ୍ୟୋଗ, ବାଣିଜ୍ୟ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ଥିôଲେ । ପାର୍ଥଙ୍କୁ ଇଡି ଜୁଲାଇ ୨୩ ତାରିଖରେ ଗିରଫ କରିଥିଲା । ଏହାପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କ ଆବାସରୁ ଇଡି ୨୧ କୋଟି ଟଙ୍କା ଜବତ କରିଥିଲା ।
ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଇଡି ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଏବେ ଇଡି ହାଜତରେ ଥିବାବେଳେ ସେମାନଙ୍କୁ ନିୟମିତ ଜେରା କରାଯାଉଛି । ଜେରା ସମୟରେ ଅର୍ପିତା କହିଥିଲେ ଯେ, ପାର୍ଥ ତାଙ୍କ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରିଥିଲେ । ତାଙ୍କ ଘରେ ପାର୍ଥ ଟଙ୍କା, ଗୋପନୀୟ କାଗଜପତ୍ର ସବୁ ଜମା କରି ରଖିଥିଲେ । ତାଙ୍କ ଘରୁ ଯେଉଁ ଟଙ୍କା ଓ ସମ୍ପତି କାଗଜପତ୍ର ସବୁ ଜବତ ହୋଇଛି ତାହା ପାର୍ଥଙ୍କର । ଯେଉଁ ଘରେ ଟଙ୍କା ଓ କାଗଜପତ୍ର ରଖାଯାଇଥିଲା ସେଠାକୁ ପାର୍ଥ ପ୍ରତି ସପ୍ତାହ କିମ୍ବା ୧୦ ଦିନରେ ଥରେ ବୁଲିବାକୁ ଯାଉଥିଲେ । ଅର୍ପିତାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ଘରେ ମଧ୍ୟ ପାର୍ଥ ଟଙ୍କା ଜମା କରିଥିବା ସେ କହିଛନ୍ତି । ଅନ୍ୟ ପକ୍ଷରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ପାର୍ଥ ଗିରଫ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଦୁର୍ନୀତିରେ ଯିଏ ଦୋଷୀ ସିଏ ଦଣ୍ଡ ପାଉ ବୋଲି ମମତା ପୂର୍ବରୁ କହିଥିଲେ ।