ରୁଷର ମୁନ୍ ମିଶନକୁ ଝଟକା, ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହେଲା ଲୁନା-୨୫
![](https://thetruths.in/wp-content/uploads/2023/08/Luna-25-Crash-1024x614.webp)
ମସ୍କୋ : ରୁଷର ମୁନ୍ ମିଶନକୁ ଝଟକା। ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହେଲା ଲୁନା-୨୫ । ଏହି ମାନବ ବିହୀନ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଆସନ୍ତାକାଲି ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ କ୍ରାଶ୍ ହୋଇଯାଇଛି। ଏହି ମହାକାଶଯାନ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ।
ରୁଷର ମହାକାଶ ସଂସ୍ଥା ‘ରସକୋମୋସ୍’ ରବିବାର କହିଛି ଯେ, ଶନିବାର ଅପରାହ୍ନ ୧୪:୫୭ ପରେ ଲୁନା-୨୫ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏକ ବିବୃତ୍ତିରେ କୁହାଯାଇଛି, ଲୁନା-୨୫ ଏକ ଅଜଣା କକ୍ଷପଥକୁ ଯାଇ ଚନ୍ଦ୍ରପୃଷ୍ଠରେ କ୍ରାସ୍ ହୋଇଯାଇଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ରୁଷ ଓ ଭାରତର ଚନ୍ଦ୍ରଯାନ-୩ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ।
ଭାରତର ଚନ୍ଦ୍ରଯାନ-୩ ମିଶନର କିଛି ଦିନ ପରେ ଲୁନା-୨୫ର ଲଞ୍ଚ କରିଥିଲା ରୁଷ। ଭାରତର ଚନ୍ଦ୍ରଯାନ-୩ ଏଯାବତ୍ ଠିକ୍ ଠାକ୍ ଏହାର ଧାର୍ଯ୍ୟ ପଥରେ ଆଗେଇ ଚାଲିଛି। ଏହା ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଛି । ଏଯାବତ୍ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ସଫଳ ହୋଇ ନାହାନ୍ତି । ଯଦିଓ ଆମେରିକା ଏବଂ ଚୀନ୍ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛନ୍ତି ।
ସୂଚନା ଯେ, ପ୍ରାୟ ୫୦ ବର୍ଷ ପରେ ରୁଷର ଏହା ପ୍ରଥମ ମୁନ୍ ମିଶନ ଥିଲା। ଏହି ମହାକାଶଯାନ ସୋମବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା । କିନ୍ତୁ ଏହା ବିଫଳ ହୋଇଛି।