ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ, ରାଜ୍ୟରେ ଆଉ ୪ ଦିନ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ୱେଲ୍ ମାର୍କଡ ଲୋ ପ୍ରେସର ଏବେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ରାଜ୍ୟରେ ବର୍ଷା ହେବ ।
ଆଜି ଦକ୍ଷିଣ ଓ଼ଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗୁରୁବାର ମାଲକାନଗିରି ଓ କୋରାପୁଟ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ନୂଆପଡ଼ା, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଓ ବଲାଙ୍ଗିରକୁ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ । ଲଗାଣ ବର୍ଷାରେ ପୁଣି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ମାଲକାନଗିରି ଜିଲା l ଜନଜୀବନ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଛି ।