ମଦ ଦୁର୍ନୀତି ମାମଲା : ଏପ୍ରିଲ ୧୭ ଯାଏଁ ବଢ଼ିଲା ସିସୋଦିଆଙ୍କ ବିଚାରବିଭାଗୀୟ ହାଜତ ଅବଧି
![](https://thetruths.in/wp-content/uploads/2023/03/Manish-Sisodia-2.jpg)
ନୂଆଦିଲ୍ଲୀ : ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କର ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି । ଆଉ ଦୁଇ ସପ୍ତାହ ଅବଧି ବଢ଼ାଇଲେ ଦିଲ୍ଲୀ କୋର୍ଟ। ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ଏପ୍ରିଲ ୧୭ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।
ମଦ ଦୁର୍ନୀତି ଅଭିଯୋଗରେ ସିବିଆଇ ଓ ଇଡି ଅଲଗା ଅଲଗା ଭାବେ ତଦନ୍ତ କରୁଛନ୍ତି। ମାମଲାର ଶୁଣାଣି ବେଳେ ସିବିଆଇ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇ ବିଚାର ବିଭାଗୀୟ ହାଜତ ସମୟ ବଢ଼ାଇବାକୁ ଆବେଦନ କରିଥିଲା। କୋର୍ଟ ସିବିଆଇର ଆବେଦନକୁ ଅନୁମୋଦନ କରି ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି କରିଥିଲେ ।
ଗତ ସପ୍ତାହରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସିସୋଦିଆଙ୍କର ଜାମିନ୍ ଆବେଦନ ଖାରଜ କରିଥିଲେ। ମଦ ନୀତିରେ ହୋଇଥିବା ୯୦-୧୦୦ କୋଟି ଦୁର୍ନୀତିର ସିସୋଦିଆ ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଥିଲା। ତାଙ୍କ ଜାମିନ୍ ମିଳିଲେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ ବୋଲି ସିବିଆଇ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ମାମଲା ବିଚାର କରି ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ସିବିଆଇ କୋର୍ଟରୁ ଜାମିନ ନ ମିଳିବା ପରେ ଦଳ ହାଇକୋର୍ଟ ଯିବ ବୋଲି ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଥିଲେ।
ସୂଚନା ଯେ, ମଦ ଦୁର୍ନୀତି ଅଭିଯୋଗରେ ଫେବ୍ରୁଆରୀ ୨୬ ତାରିଖରେ ମନୀଷଙ୍କୁ ଗିରଫ କରିଥିଲା ପୁଲିସ। ପୁଣି ଅନ୍ୟ ଏକ ମାମଲାର ମାର୍ଚ୍ଚ ୯ ତାରିଖରେ ତିହାର ଜେଲ୍ ଯାଇ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି।