ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ, ଏହି ସବୁ ଜିଲାରେ ହେବ ବର୍ଷା
![](https://thetruths.in/wp-content/uploads/2022/07/Heavy-Rain-1024x576.jpg)
ଭୁବନେଶ୍ୱର : ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ରହିଛି । ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୪ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୪ ଓ ୧୫ ଦୁଇ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ରେ ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ ଓ ବରଗଡ଼ରେ ସବୁଠାରୁ ଅଧିକ ବର୍ଷା ହେବ । ୧୫ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ହୋଇଛି ।
ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ ବର୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି । ବର୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଉତରପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳର ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେଉଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ରେକର୍ଡ କରାଯାଇଛି । ୧୫ କିମ୍ବା ୧୬ ବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପୂରା ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି । ଓଡ଼ିଶାର ବର୍ଷା ପରିମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଜୁନ ମାସରେ ସମଗ୍ର ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା । ଜୁନ ମାସରେ ୨୧ ସେମି ବର୍ଷା ହେବା କଥା । କିନ୍ତୁ ସମଗ୍ର ରାଜ୍ୟରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁଲାଇରେ ସ୍ଥିତି ବଦଳିଛି । ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି । ସ୍ୱାଭିବକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହେବା କଥା । କିନ୍ତୁ ଚଳିତ ବର୍ଷ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ହାରାହାର ୨୭ ସେମି ବର୍ଷା ହୋଇଛି । ବାସ୍ତବରେ ୩୧ ସେମି ବର୍ଷା ହେବା କଥା । ତେଣୁ ଏଯାଏ ରାଜ୍ୟରେ ୧୫% କମ ବର୍ଷା ହୋଇଛି । କିନ୍ତୁ ଜୁଲାଇରେ ନିଅଂଟିଆ ବର୍ଷାର ସମସ୍ୟା ଦୂର ହେବ । ଜିଲ୍ଲାୱାରି ଦେଖିଲେ ପୁରୀ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରେ ସ୍ୱାଭାବିକ ଠାରୁ ୫୦% କମ ବର୍ଷା ରେକର୍ଡ କରାଯାଇଛି । ଜୁଲାଇରେ ସମଗ୍ର ରାଜ୍ୟରେ ଭଲ ବର୍ଷା ହୋଇଥିଲେ ମଧ୍ୟ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ନିଅଂଟିଆ ବର୍ଷା ହୋଇଥିବା ସେ କହିଛନ୍ତି ।