ବଙ୍ଗୋପସାଗରରେ ଲଘୁଚାପ, ଆଜିିଠୁ ପ୍ରବଳ ବର୍ଷା ସମ୍ଭାବନା
![](https://thetruths.in/wp-content/uploads/2021/09/Today-Rain.jpg)
ଭୁୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ଏବଂ ଉତର-ପୂର୍ବ ବଙ୍ଗୋପସାଗରରେ ଶନିବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତିକରି ଉତର ଓଡିଶା ଉତର ଛତିଶଗଡ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାସହ, ୪୮ଘଂଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ରବିବାର ଠାରୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ଏହିସମୟ ମଧ୍ୟରେ ଗଂଜାମ , ବାଲେଶ୍ୱର, ନୟାଗଡ, ଅନୁଗୁଳ , ବୌଦ୍ଧ, ସମ୍ବଲପୁର, ସୋନପୁର , ବଲାଙ୍ଗୀର ଓ ମୟୁରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ ତାରିଖରୁ ୧୪ ତାରିଖ ମଧ୍ୟରେ ଅନୁଗୁଳ, ଦେବଗଡ , କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସମୟ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, କଟକ, ଯାଜପୁର, ଢେଙ୍କାନାଳ, ମୟୁରଭଂଜ, ଭଦ୍ରକ , ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।