ଲଘୁଚାପ ସକ୍ରିୟ ! ଆଜିଠୁ ୫ ଜିଲାରେ ପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
![](https://thetruths.in/wp-content/uploads/2022/07/Light-Pressure-Active-1024x576.jpg)
ଭୁବନେଶ୍ୱର : ଓଡ଼ିଶା ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ସକ୍ରିୟ ମୌସୁମୀ ଯୋଗୁ ବର୍ଷା ଲାଗିରହିବ । ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏ ବର୍ଷା ଲାଗି ରହିବ । ଆଜିଠୁ ୫ ଜିଲା ବରଗଡ଼, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ସୋନପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ଜମିବା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛି ଏସଆରସି । ଗତ ୨୪ ଘଣ୍ଟାରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ଝରିଗାଁରେ ସର୍ବାଧିକ ୧୧୮ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।
ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ୪୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୨୪.୨, ଖୋର୍ଦ୍ଧାରେ ୨୨, ବାରିପଦାରେ ୨୧, ଅନୁଗୁଳରେ ୧୯.୬, ସମ୍ବଲପୁରରେ ୧୯.୪, ବୌଦ୍ଧରେ ୧୭.୪, ନୟାଗଡ଼ରେ ୧୭ ଓ ଯାଜପୁରରେ ୧୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ବରପାଲିରେ ୯୪ ମିଲିମିଟର, ଘସିପୁରାରେ ୮୧.୧, ଭଞ୍ଜନଗରରେ ୮୧, ସିନାପାଲିରେ ୭୮, ଟିଟିଲାଗଡ଼ରେ ୭୭.୨, ଗୋଲାମୁଣ୍ଡାରେ ୭୪, ବିଜେପୁରରେ ୭୩, ଆନନ୍ଦପୁରରେ ୬୨, ହାଟଡ଼ିହିରେ ୫୮, ଆଠମଲ୍ଲିକରେ ୫୧ ଓ କେସିଙ୍ଗାରେ ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ୱାସ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଅଧିକ ବର୍ଷା ଜାରି ରହିବ । ୧୪ରେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୫ରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୬ରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୭ରେ ମଧ୍ୟ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।