ପତ୍ନୀହନ୍ତାକୁ ଆଜୀବନ ଜେଲ ଓ ୩ ହଜାର ଟଙ୍କା ଜରିମାନା
![](https://thetruths.in/wp-content/uploads/2022/05/Court-1-1024x683.jpg)
ଭଦ୍ରକ : ଭଦ୍ରକ ଅତିରିକ୍ତ ଜିଲାଜଜ୍ ଅଶଷ କୁମାର ତ୍ରିପାଠୀ ପତ୍ନୀହତ୍ୟା ଅପରାଧରେ ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ସାବରଙ୍ଗ ଥାନା ଅଧୀନସ୍ଥ ଜିତାନଗା ଗ୍ରାମର ଭାଗବତ ବେହେରାଙ୍କ ପୁତ୍ର କାଲୁ ଓରଫ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ତାଙ୍କ ପତ୍ନୀଙ୍କୁ ଯୌତୁକ ପାଇଁ ଘରେ ଶୋଇଥିବା ବେଳେ ଘର ନିଆଁ ଲଗାଇ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲ୍ ଓ ୩ ଗୋଟି ଦଫାରେ ୩ ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା ସହ ପୂର୍ଣ୍ଣଚନ୍ଦ୍ରଙ୍କ ମାତା ଅପନୁ ବେହେରାଙ୍କୁ ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅପରାଧରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୧୫ ମସିହା ନଭେମ୍ବର ମାସ ୮ ତାରିଖରେ ପତ୍ନୀଙ୍କୁ ହାତଗୋଡ ବାନ୍ଧି ଘର ଭିତରେ ଛାଡିଦେଇ ବାହାରୁ କବାଟ ଦେଇ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଘରେ ନିଆଁ ଲଗାଇ ଦେଇଥିଲା । ମୁମୂର୍ଷ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଅଣାଯିବା ପରେ ତାର ମୃତ୍ୟୁକାଳୀନ ଜମାନବନ୍ଦୀ ପୁଲିସ୍ ରେକର୍ଡ କରିଥିଲା । ପରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀଙ୍କ ପିତା ସେତେବେଳେ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିବା ପରେ ଥାନା କେଶ୍ ନଂ ୬୪୮/୧୫, ଦଫା ୩୦୨/୪୯୮ (କ) / ୪୩୬/୩୪ ରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ମାତା ଅପନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଶାଶୁ ଜାମିନରେ ଥିଲେ ମଧ୍ୟ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଅଦ୍ୟାବଧି ବିଚାରାଧୀନ ବନ୍ଦୀ ଭାବରେ ଜେଲ୍ରେ ଅଟକ ଅଛି । ମାନ୍ୟବର କୋର୍ଟ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୨ ରେ ଆଜୀବନ ସଶ୍ରମ ଜେଲ୍ ଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା, ୪୩୬ ଦଫାରେ ଆଜୀବନ ଜେଲ୍ ଓ ୧ ହଜର ଟଙ୍କା ଜରିମାନା, ୪୯୮ ୯କ) ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପୁନଶ୍ଚ ସର୍ବମୋଟ ୩ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ ଅଛି । ସେହିପରି ଶାଶୁ ଅପନା ବେହେରାଙ୍କୁ କେବଳ ୪୯୮ (କ) ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁଣି ୧ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଅରୁଣ ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ ।