ଭଣ୍ଡାରିପୋଖରୀରେ ମିଳିତ ଜନ ଶୁଣାଣି : ୫ ଦିବ୍ୟାଙ୍ଗଙ୍କୁ ୧ଲକ୍ଷ ୫୦ହଜାର ଟଙ୍କାର ଆର୍ଥିକ ସହାୟତା
ଭଣ୍ଡାରିପୋଖରୀ : ଚଳିତ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଭଣ୍ଡାରିପୋଖରୀ ବ୍ଲକ୍ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୫୭ଟି ଅଭିଯୋଗ ଶୁଣି ଥିଲେ । ସେଥି ମଧ୍ୟରେ ୫୩ଟି ବ୍ୟକ୍ତିଗତ ଓ ୪ ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ସୂଚନା ଯୋଗ୍ୟ କି ଗତ ୨୪ ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ଗସ୍ତ ସମୟରେ ନଦୀଗାଁ, ଧାମନଗରରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆବେଦନ କରିଥିବା ୫ ଜଣ ଦିବ୍ୟାଙ୍ଗ ଆବେଦନ କାରୀଙ୍କୁ ଏହି ଶିବିରରେ ଜିଲ୍ଲାପାଳ ଜଣକା ୩୦ ହଜାର ଲେଖାଏଁ ସମୁଦାୟ ୧ଲକ୍ଷ ୫୦ ହଜାର ଟଙ୍କା ସି.ଏମ୍.ଆର୍.ଏଫ୍. ରୁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ମାର୍କଣ୍ଡ ମଲ୍ଲିକଙ୍କ ପୁଅ ବାବୁଲି୍ ମଲ୍ଲିକ, ପ୍ରହ୍ଲାଦ ଦାସଙ୍କ ପୁଅ ପବନ କୁମାର ଦାସ, ଗଙ୍ଗାଧର ଦାସଙ୍କ ପୁଅ ଚନ୍ଦନ ଦାସ, ଦୁର୍ଯ୍ୟୋଧନ ମୁଦୁଲିଙ୍କ ପୁଅ ପ୍ରଶାନ୍ତ କୁମାର ମୁଦୁଲି, ଦୁର୍ଯ୍ୟୋଧନ ପଣ୍ଡାଙ୍କ ପୁଅ ପଙ୍କଜ କୁମାର ପଣ୍ଡା ।
ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ । ବି.ଡ଼ି.ଓ. ଦେବଦତ୍ତ ଦାସ ଓ ତହସିଲଦାର ସରୋଜକାନ୍ତ ନାୟକ ଉପସ୍ଥିତ ରହି ଏହି ଶିବିର ଆୟୋଜନ ଓ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ । ଶିବରରେ ଆଗତ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।