ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ–କଣ୍ଟେଣ୍ଟ ର ଶୁଭାରମ୍ଭ
ବଲାଙ୍ଗିର : ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଠାରେ ଆଜି ଶିଶୁ ଦିବସ ପାଳନ ଅବସରରେ ଜିଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲାପାଳ ଚଂଚଳ ରାଣା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭା ରେ ଜିଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ର ଶୁଭେଚ୍ଛା ଜଣାଇ ଜିଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଡିଜିଟାଲ ଇ -କଣ୍ଟେଣ୍ଟ ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ ଛାତ୍ର ଛାତ୍ରୀ ମାନେ ପାଠ୍ୟକ୍ରମ କୁ ସହଜ ଭାବେ ବୁଝିପାରିବେ ବୋଲି କହିଥିଲେ ।
ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଡିଜିଟାଲ ଇ-କଣ୍ଟେଣ୍ଟ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପାଠପଢା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ପ୍ରାରମ୍ଭିକ ସୂଚନା ଦେଇ ଡିଜିଟାଲ ଇ-କଣ୍ଟେଣ୍ଟ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଫଳପ୍ରଦ ହେବ ବୋଲି ପ୍ରକାଶ କରିଥିଲେ । ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ର ଆଂଚଳିକ ମୁଖ୍ୟ ପିୟୁଷ ପ୍ରଶାନ୍ତ ଡିଜିଟାଲ ଇ-କଣ୍ଟେଣ୍ଟ ମାଧ୍ୟମରେ ଶିକ୍ଷାଦାନ କିପରି ଫଳପ୍ରଦ ହେବ ସେ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କେଶବ ମେହେର, ଜିଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ, ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡର ଦିବ୍ୟକାନ୍ତ ପୃଷ୍ଟି, ନେହା ସାହୁଙ୍କ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାୟ ର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।