ଫିକା ପଡ଼ିଯିବ କୁମାରପୂର୍ଣ୍ଣିମୀ ଓ ଗଜଲକ୍ଷ୍ମୀ ପୂଜା ! ୯ ଓ ୧୦ ପ୍ରବଳ ବର୍ଷା ନେଇ ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
![](https://thetruths.in/wp-content/uploads/2021/12/Heavy-Rain-Alert-1024x576.jpg)
ଭୁବନେଶ୍ୱର : ଦୁର୍ଗା ପୂଜାରେ ଭିଜିଲା, କୁଆଁର ପୂର୍ଣ୍ଣିମାରେ ବି ଭିଜିବ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ବି ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ଲାଗିରହିଛି। ତେଣୁ ଉକ୍ତ ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେବାକୁ ଥିବାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପୁଣି ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ୯ତାରିଖ , କୁଆଁର-ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ । ୯ ଏବଂ ୧୦ ଅକ୍ଟୋବର ରେ କିଛି ଉପକୂଳବର୍ତୀ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଦୁର୍ଗାପୂଜା ଭଳି କୁମାରପୂର୍ଣ୍ଣିମୀ ପର୍ବ ଓ ଗଜଲକ୍ଷ୍ମୀ ପୂଜା ମଧ୍ୟ ବର୍ଷା ପାଇଁ ଫିକା ପଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ରବିବାର ୯ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଆଦି ଜିଲାରେ ପ୍ରବଳ ବର୍ଷିବ। ସେହିଭଳି ୧୦ ତାରିଖ ଦିନ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାରେ ପ୍ରବଳ ବର୍ଷା ହେବ।
ସୂଚନା ଯେ, ଚଳିତ ମାସ ୧ରୁ ୭ ମଧ୍ୟରେ ରାଜ୍ୟରେ ୬୯.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ସ୍ବାଭାବିକ ବର୍ଷା ୩୮.୬ ମିମି ହୋଇଥାଏ। ତେଣୁ ଚଳିତ ବର୍ଷ ଏହି ସମୟରେ ସ୍ବାଭାବିକ ବର୍ଷା ତୁଳନାରେ ୮୦% ଅଧିକ ବୃଷ୍ଟିପାତ ହୋଇଛି। ଏହି ସମୟରେ ବାଲେଶ୍ବର ଜିଲାରେ ସର୍ବାଧିକ ୧୭୭.୪ ମିମି, ରାୟଗଡ଼ାରେ ୧୭୫.୬ ମିମି ଓ ଭଦ୍ରକ ଜିଲ୍ଲାରେ ୧୭୦.୧ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଆସନ୍ତା ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିବ।