ଜନ୍ତର ମନ୍ତରରେ ଧର୍ମଘଟ ଆରମ୍ଭ କଲେ କେ. କବିତା
![](https://thetruths.in/wp-content/uploads/2023/03/K.-Kavitha-Protest.jpg)
ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି
ନୂଆଦିଲ୍ଲୀ : ଦିଲ୍ଲୀରେ ଅନଶନ ଧର୍ମଘଟ ଆରମ୍ଭ କଲେ ‘ଭାରତ ରାଷ୍ଟ୍ର ସମିତି’ର ବରିଷ୍ଠ ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କ ଝିଅ କେ. କବିତା । ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଜାତୀୟ ରାଜଧାନୀର ଜନ୍ତର ମନ୍ତରରେ ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିବାଦରେ ‘ତୃଣମୂଳ କଂଗ୍ରେସ’, ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’, ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’, ‘ଜନତା ଦଳ (ୟୁନାଇଟେଡ୍)’, ‘ରାଷ୍ଟ୍ରୀୟ ଜନତା ଦଳ’ ଏବଂ ‘ସମାଜବାଦୀ ପାର୍ଟି’ ଆଦି ୧୦ରୁ ଅଧିକ ରାଜନୈତିକ ଦଳ ଯୋଗ ଦେବେ ବୋଲି ସୁନିଶ୍ଚିତ କରିଥିଲେ। କେ. କବିତାଙ୍କ ‘ଏନ୍ଜିଓ’ ‘ଭାରତ ଜାଗୃତି’ଦ୍ବାରା ଆୟୋଜିତ ଏହି ଅନଶନ ଧର୍ମଘଟ ପ୍ରତିବାଦକୁ ଉଦ୍ଘାଟନ କରିଛନ୍ତି ‘ସିପିଆଇ-ଏମ୍’ ନେତା ସୀତାରାମ ୟେଚୁରୀ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବାର ଦିନକ ପୂର୍ବରୁ ସେ ଆଜି ଏହି ଅନଶନ ଧର୍ମଘଟରେ ବସିଛନ୍ତି। ଏହି ପ୍ରତିବାଦରେ ୫୦୦ରୁ ୬୦୦ ସଦସ୍ୟ ଅନଶନରେ ବସିବେ। ଏହାଛଡ଼ା, ଏଥିରେ ଯୋଗ ଦେବା ପାଇଁ ୬୦୦୦ ଲୋକ ଏବଂ ୧୮ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଗୁରୁବାର ଦିନ ସେ କହିଥିଲେ।
ସାମ୍ବାଦିକମାନଙ୍କୁ ସେ କହିଥିଲେ, ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ବିଷୟ ଦାବି କରି ଦିଲ୍ଲୀରେ ଅନଶନ ଧର୍ମଘଟ କରିବୁ ବୋଲି ମାର୍ଚ ୨ ତାରିଖରେ ଏକ ପୋଷ୍ଟର୍ ରିଲିଜ୍ କରିଥିଲୁ। ପ୍ରବର୍ତ୍ତନ ନିର୍ଦେଶାଳୟ ମତେ ମାର୍ଚ ୯ ତାରିଖରେ ହାଜର ହେବାକୁ ସମନ୍ ଦେଇଥିଲା। ମୁଁ ମାର୍ଚ ୧୬ରେ ହାଜର ହେବି ବୋଲି ଅନୁରୋଧ କରିଥିଲି। କିନ୍ତୁ, ହାଜର ହେବା ପାଇଁ ସେମାନେ ତରବର କରାଇବାର କାରଣ ଜାଣି ପାରୁନି। ତେଣୁ, ମାର୍ଚ ୧୧ ତାରିଖରେ ହାଜର ହେବାକୁ ମୁଁ ରାଜି ହୋଇଛି।