ଜୁନ ୨୮ରୁ ଅମରନାଥ ଯାତ୍ରା
ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଥିବା ବିଶ୍ୱପ୍ରସିଦ୍ଧ ବାବା ବରଫ ଲିଙ୍ଗ ଅମରନାଥ ଦର୍ଶନ ପାଇଁ ୫୬ ଦିବସୀୟ ଯାତ୍ରା ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଅଭିଯାନ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୨୨ରେ ଶେଷ ହେବ । ଅମରନାଥ ଯାତ୍ରା ଲାଗି ଚଳିତ ମାସ ୧ ତାରିଖ ଠାରୁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ସମୁଦ୍ର ପତ୍ତନ ଠାରୁ ୩୮୮୦ ମିଟରର ଉଚ୍ଚରେ ଥିବା ଗୁମ୍ପାକୁ ଯିବାକୁ ଚାହୁଁଥିବା ଆଗ୍ରହୀ ଶ୍ରଦ୍ଧାଳୁମାନଙ୍କୁ କରୋନା କଟକଣା ସହିତ ଚଳିତ ବର୍ଷ ଅମରନାଥ ଯାତ୍ରାରେ ସାମିଲ ହେବାକୁ ପଡ଼ିବ ।
ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ (ଏସ୍ଏଏସ୍ବି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ନୀତୀଶ୍ୱର କୁମାର କହିଛନ୍ତି ଯେ, ଉଭୟ ରାସ୍ତା ଲାଗି ପଞ୍ଜିକରଣ ପୂରା ଦେଶରେ ୪୪୬ ବ୍ୟାଙ୍କା ଶାଖା ଜରିଆରେ ଏପ୍ରିଲ ୧ ତାରିଖ ଠାରୁ ଆରମ୍ଭ ହୋଇଛି । ଏଥିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (୩୧୬), ଜମ୍ମୁ କଶ୍ମୀର ବ୍ୟାଙ୍କ (୯୦) ଓ ୟେସ ବ୍ୟାଙ୍କ (୪୦)ର ଶାଖାକୁ ସାମିଲ କରାଯାଇଛି । ଏଥିସହିତ ପଞ୍ଜିକରଣ ଲାଗି ପ୍ରକ୍ରିୟା ସଂପର୍କରେ ବ୍ୟୁରା, ଆବେଦନ ପତ୍ର ଓ ବ୍ୟାଙ୍କର ଶାଖା ସମ୍ପର୍କରେ ବୋର୍ଡର ୱେବସାଇଟ୍ରେ ଉପଲବ୍ଧ କରାଯାଇଛି । ସେହିପରି ରାଜ୍ୟ ସରକାର ଅଥବା କେନ୍ଦ୍ର ଶାସିତ ଅଂଚଳର ପ୍ରଶାସକଙ୍କ ତରଫରୁ ଅଧିକୃତ ଡାକ୍ତର ଅଥବା ଚିକିତ୍ସା ସଂସ୍ଥା ଦ୍ୱାରା ଜାରି ମେଡିକାଲ ସାର୍ଟିଫିକେଟ ପଞ୍ଜିକୃତ ବ୍ୟାଙ୍କ ଶାଖାରେ ଗ୍ରହଣୀୟ । ଗୁମ୍ଫା ବହୁତ ଉଚ୍ଚରେ ଥିବାର ପ୍ରମାଣପତ୍ରର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ୨୦୨୧ ମାର୍ଚ୍ଚ ୧୫ ତାରିଖ ପରେ ଜାରି ହୋଇଥିବା ପ୍ରମାଣପତ୍ର ବୈଧ୍ୟ ଭାବେ ଗ୍ରହଣ କରାଯିବ । ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ଯାତ୍ରା କରିପାରିବେ ନାହିଁ ।