ବିଜେଡିରେ ଯୋଗଦେଲେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି
![](https://thetruths.in/wp-content/uploads/2021/09/Joining-the-BJD-is-the-former-state-president-of-the-JMM.jpg)
ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପୂର୍ବରୁ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେଏମଏମର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ଅନ୍ୟ ନେତା ଓ କର୍ମୀ ବି ସାମିଲ ହୋଇଛନ୍ତି । ବିଜେଡି କାର୍ଯ୍ୟାଳୟରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି । ୨୦୦୯ ଓ ୨୦୧୪ ରେ ଜଶିପୁରରୁ ଜେଏମଏମର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମହେଶ ହେମ୍ବ୍ରମ । ୨୦୧୯ରେ ସେ ସାରସକଣାରୁ ପ୍ରତିଦ୍ୱନ୍ଦିତା କରିଥିଲେ । ରାମଚନ୍ଦ୍ର ମୁର୍ମୁ ୨୦୧୯ରେ ଜେଏମଏମ୍ ଟିକଟରେ ରାଇରଙ୍ଗପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ଦୁଇ ଜଣଙ୍କ ବ୍ୟତୀତ ସଧାରଣ ସମ୍ପାଦକ ଗୋବିନ୍ଦ ସୋରେନ ଓ କୁସୁମୀ ବ୍ଲକର ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବି ବିଜେଡିରେ ସାମିଲ ହୋଇଛନ୍ତି ।
ଏହାକୁ ନେଇ ଜେଏମଏମ ମୟୁରଭଞ୍ଜରେ ବିଲୟ ହୋଇଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି, ଆଗରୁ ସେଠାରେ ଜେଏମଏମବାନା ଥିଲା, ଆଜି ନାହିଁ । ଯେଉଁମାନେ ଆସି ମିଶିଲେ, ସେମାନେ ମୋ ଅନୁଗତ ଥିଲେ । ସେମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସ୍ୱାଗତଜଣାଇଛନ୍ତି ସୁଦାମ ମାରାଣ୍ଡି । ସେ ଆହୁରି କହିଛନ୍ତି କୋଟିଆରେ ଆମ ପଦକ୍ଷେପ ନେଇଛୁ । ଆମେ ସୁପ୍ରିମକୋର୍ଟ ଯାଇଛୁ । ଆଇନଗତ ଲଢେଇ ଚାଲିଛି ବୋଲି ସେ କହିଛନ୍ତି ।