ପିଏଲ୍ଏଫ୍ଆଇ ମୁଖିଆ ଦିନେଶ ଗୋପକୁ ନେପାଳରୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ
ରାଞ୍ଚି: ବ୍ୟାନ୍ ହୋଇଥିବା ଚରମପନ୍ଥୀ ସଂଗଠନ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍ଏଫ୍ଆଇ) ମୁଖିଆ ଦିନେଶ ଗୋପକୁ ଧରିଲା ଝାଡ଼ଖଣ୍ଡ ପୁଲିସ। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସହ ମିଶି ମିଳିତ ଅପରେସନ୍ କରି ଦିନେଶ ଗୋପକୁ ନେପାଳରୁ ଗିରଫ କରିଛି ଝାଡ଼ଖଣ୍ଡ ପୁଲିସ। ଗିରଫ ପରେ ତାକୁ ଦିଲ୍ଲୀ ଅଣାଯାଉଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଗୋପ ମୁଣ୍ଡରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ୨୪ ଲକ୍ଷ ଝାରଖଣ୍ଡ ପୁଲିସ ଘୋ,ଣା କରିଥିବା ବେଳେ ଏନ୍ଆଇଏ ଘୋଷଣା କରିଥିଲା ୫ ଲକ୍ଷ ଟଙ୍କା। ଭାରତୀୟ ତଦନ୍ତକାରୀ ସଂସ୍ଥା ଓ ସିଆର୍ପିଏଫ୍ ଗତ ୧୫ ବର୍ଷ ହେଲା ଦିନେଶ ଗୋପକୁ ଖୋଜୁଥିଲା।
କିଛି ବର୍ଷ ହେଲା ଦିନେଶ ଗୋପ୍ ଝାଡ଼ଖଣ୍ଡରେ ସକ୍ରିୟ ରହି ସମସ୍ତ ଅପରାଧିକ କାର୍ଯ୍ୟକଳାପରେ ଘଟାଉଥିଲା। ତା ବିରୋଧରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଛି। ତାକୁ ଧରିବାକୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ସହଯୋଗରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
ଭୟଙ୍କର ନକ୍ସଲ ଭାବେ ଝାରଖଣ୍ଡରେ ଆତଙ୍କ ଖେଳାଇଥିବା ଦିନେଶ ଗୋପ ଗତ ୧୬ ବର୍ଷ ହେଲା ପୁଲିସ ଓ ସୁରକ୍ଷା କର୍ମୀଙ୍କ ଆଖିରୁ ଧୂଳି ଦେଇ ଖସିଯାଉଥିଲା। ତେବେ ଦିନେଶ ନେପାଳରେ ନିଜକୁ ଶିଖ୍ ବୋଲି ପରିଚୟ ଦେଇ ପଗଡ଼ି ପିନ୍ଧି ଭେଷ ବଦଳାଇ ରହୁଥିଲା। ହେଲେ ପୁଲିସ ତାର ଖବର ପାଇ ତାକୁ ନେପାଳରୁ ଗିରଫ କରିବାରେ ସଫଳ ହୋଇଛି। ବର୍ତ୍ତମାନ ତାକୁ ଦିଲ୍ଲୀ ଅଣାଯାଉଥିବା ସୂଚନା ମିଳିଛି।