ବିନା କୌଣସି ପରିଚୟ ପତ୍ରରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ : ଏସବିଆଇ

ନୂଆଦିଲ୍ଲୀ: ବିନା ପ୍ରମାଣପତ୍ରରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍। ବିନା କୌଣସି ପରିଚୟ ପତ୍ରରେ ଦେଶର ସବୁଠାରୁ ବଡ଼ ନୋଟକୁ ବଦଳାଇ ପାରିବେ । ଏନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ) ଏକ ସାର୍କୁଲାର ଜାରି କରିଛି ।
ଏସବିଆଇ ସାର୍କୁଲାର ମୁତାବକ ଜଣେ ବ୍ୟକ୍ତି ଥରକେ ୨୦ହଜାର ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ । ୨୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା ହେବା ପରେ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଥିଲା । ଏହି ନୋଟ୍ ବଦଳାଇବାକୁ ପରିଚୟ ପ୍ରମାଣ ପତ୍ର ସହିତ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ଏହି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇଛି ଏସବିଆଇ । ଏନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏକ ସାର୍କୁଲାର ଜାରି କରିଛି । ଏଥିରେ ୨୦୦୦ ଟଙ୍କିଆ ବଦଳାଇବା ଏବଂ ଡିପୋଜିଟ୍ କୌଣସି ପ୍ରମାଣ ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି ।
ସୂଚନା ଯେ, ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ଟଙ୍କିଆ ଅଚଳ ବା ଫେରାଇ ନେବାକୁ ଘୋଷଣା କରିଛି । ଏହି ନୋଟକୁ ଆସନ୍ତା ମେ’ ୨୩ ତାରିଖରୁ ସେପ୍ଟେମ୍ବର ୩୦ ଭିତରେ ନିକଟସ୍ଥ ବ୍ୟାଙ୍କରେ ପରିବର୍ତ୍ତନ କରିପାରିବେ । ଏହାଛଡ଼ା ୨୦୦୦ ଟଙ୍କିଆ ନୋଟ୍କୁ ନିଜ ଆକାଉଣ୍ଟରେ ଜମା କରି ପାରିବେ । ନୋଟ୍ ଡିପୋଜିଟ୍ ସମୟରେ କୌଣସି ଅତିରିକ୍ତ ଫର୍ମ ଭରିବାକୁ ପଡ଼ିବ ନାହିଁ । ପୂର୍ବ ଭଳି ସାମାନ୍ୟ ନିୟମକୁ ମାନିବାକୁ ପଡ଼ିବ ।
ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା ବେଳେ କହିଛି ଯେ, ପୂର୍ବ ଭଳି ଏତେ ବଡ଼ ନୋଟ୍ର ଆଉ ବହୁଳ ବ୍ୟବହାର ହେଉନାହିଁ । ଏହାଛଡ଼ା ବ୍ୟାଙ୍କ୍ ପାଖରେ ଅନ୍ୟ ନୋଟ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି । ତେଣୁ ଲୋକଙ୍କ କାରବାରରେ କୌଣସି ସମସ୍ୟା ହେଉନାହିଁ । ଏହାକୁ ଦୃଷ୍ଟି ରଖି ଆରବିଆଇ କ୍ଲିନ୍ ନୋଟ୍ ପଲିସି ଆଧାରରେ ୨୦୦୦ ଟଙ୍କିଆ ନୋଟ୍କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ।