ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଏକ ଯୁଗର ଅବସାନ ହେଲା : କଂଗ୍ରେସ
![](https://thetruths.in/wp-content/uploads/2022/09/Jayanti-Patnaik.jpg)
ଭୁବନେଶ୍ୱର : ପୂର୍ବତନ ସାଂସଦ ତଥା ସର୍ବପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ଘଟିଛି । ଗୁରୁବାର ଦିନ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର କଂଗ୍ରେସ ଭବନକୁ ଅଣାଯାଇଥିଲା । ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଂଗ୍ରେସ ନେତୃବୃନ୍ଦଙ୍କ ସମେତ ସିପିଏମର ରାଜ୍ୟ ନେତୃବୃନ୍ଦ ଅଳିକେଶ୍ୱର ପଟ୍ଟନାୟକ, ସୁରେଶ ପାଣିଗ୍ରାହି ମଧ୍ୟ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହାପରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ଓ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ସଭାପତି ଶରତ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ ଓ ପ୍ରାକ୍ତନ ସଭାପତି ପ୍ରସାଦ ହରିଚନ୍ଦନ ଏହି ଶୋକପ୍ରସ୍ତାବକୁ ସମର୍ଥନ କରି ଜୟନ୍ତୀ ପଟ୍ଟନାୟକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସି ଏକ ରାଜନୈତିକ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୀବନ ଯାତ୍ରାରେ ସହଯୋଗ ଦେବା ବିଷୟରେ ବର୍ଣ୍ଣନା କରିଥିଲେ । ଜଣେ ସୁଲେଖିକା ଏବଂ ସାମ୍ବାଦିକ ଭାବରେ ତାଙ୍କର ଖ୍ୟାତି ସଂପର୍କରେ ସୂଚନା ଦେଇଥିଲେ । ସେ ସର୍ବଭାରତୀୟ ସ୍ତରରେ ନାରୀ ଜାଗରଣ, ନାରୀ ଅଧିକାରର ଜଣେ ବଳିଷ୍ଠ ପ୍ରହରି ଭାବେ କାର୍ଯ୍ୟକରିଥିବା ବର୍ଣ୍ଣନା କରିଥିଲେ । ତାଙ୍କର ଜୀବନକାଳ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ନାରୀ ସଶକ୍ତିକରଣର ଏକ ରୁଦ୍ଧିମନ୍ତ ଅଧ୍ୟାୟ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠୀର ଜେନା, ଶରତ ରାଉତ, ଚିନ୍ତାମଣି ଦ୍ୟାନ ସାମନ୍ତରାୟ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ସୁରେଶ କୁମାର ମହାପାତ୍ର, ଦେବାଶିଷ ପଟ୍ଟନାୟକ କିଶୋର ଜେନା, ବିଭୁତି ମିଶ୍ର, ସ୍ମୃତି ରଞ୍ଜନ ଲେଙ୍କା, ବନ୍ଦିତା ପରିଡ଼ା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।