ଆଇପିଏଲ-୨୦୨୧ : ଆଜି ଚେନ୍ନାଇ-ହାଇଦ୍ରାବାଦ ମୁହାଁମୁହିଁ
ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ବୁଧବାର ୨୩ତମ ଲିଗ୍ ମ୍ୟାଚ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବ । ଏଥିରେ ତିନି ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବଦ । ଚଳିତ ବର୍ଷ ଚେନ୍ନାଇର ଭଲ ପ୍ରଦର୍ଶନ ଥିବାବେଳେ ହାଇଦ୍ରାବଦାର ପ୍ରଦର୍ଶନ ସେତେଟା ଭଲ ନାହିଁ । ଚେନ୍ନାଇ ୫ମ୍ୟାଚ୍ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି। ସେହିପରି ୫ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ରହିଛି ଶେଷ ସ୍ଥାନରେ । ଚେନ୍ନାଇ ଓ ହାଇଦ୍ରାବାଦ କିନ୍ତୁ ଆଇପିଏଲ୍ରେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି । ଦୁଇଟି ଯାକ ଦଳ ୨୦୧୮ ମସିହା ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ସେହି ଟ୍ରଫି ଟକ୍କର ମ୍ୟାଚ୍ରେ ବିଜୟୀ ହୋଇ ଚେନ୍ନାଇ ତୃତୀୟ ଥର ପାଇଁ ବିଜେତା ଆଖ୍ୟା ପାଇଥିଲା । ଗତବର୍ଷ ୟୁଏଇରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ ଚେନ୍ନାଇ ଓ ହାଇଦ୍ରାବାଦ । ତେବେ ଚଳିତବର୍ଷ ମୁମ୍ବାଇରେ ଖେଳିଥିବା ନିଜ ପ୍ରଥମ ୫ ମ୍ୟାଚ୍ରୁ ଚେନ୍ନାଇ ୪ଟିରେ ବିଜୟୀ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ଚାହିବ । ସେପଟେ ଆଜିର ମ୍ୟାଚ୍ ଜିତିବାକୁ ସମସ୍ତ ପ୍ରକାର ରଣ କୌଶଳ ଆପଣାଇବ ଓ୍ୱାର୍ଣ୍ଣର ବାହିନୀ । ସେହିପରି ଉଭୟ ଦଳ ପରସ୍ପର ୧୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନଇ ସୁପରକିଙ୍ଗ୍ସ ୧୧ଟି ଓ ସନରାଇଜର୍ସ ୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ରଣନୀତିକୁ ନବୁଝି ପାରିଲେ ବୁଧବାର ମ୍ୟାଚ୍ ଜିତିବା ମଧ୍ୟ ୱାର୍ଣ୍ଣରଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ହୋଇଯିବ।
ରୟାଲ ଚାଲେଞ୍ଜର୍ସ ବିପକ୍ଷ ପୂର୍ବ ମ୍ୟାଚ୍ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକାକି ସିଏସ୍କେକୁ ବିଜୟୀ କରାଇଥିଲେ। ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ତିନିଟି ଯାକ ଦିଗରେ ଆଖିଦୃଶିଆ ପ୍ରଦର୍ଶନ କରି ଆର୍ସିବିକୁ ପୂରା ଘାଇଲା କରି ଦେଇଥିଲେ। ସାଥୀ ଖେଳାଳିମାନେ ସ୍ନେହରେ ‘ସାର୍ ଜାଦେଜା’ ଡାକୁଥିବା ରବୀନ୍ଦ୍ରଙ୍କ ପ୍ରେମରେ ପ୍ରତିପକ୍ଷ ଅଧିନାୟକ ବିରାଟ କୋହଲି ମଧ୍ୟ ପଡ଼ି ଯାଇଥିଲେ। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ଏହି ପ୍ରଦର୍ଶନକୁ ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସିଏସ୍କେର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ’ପ୍ଲେସିସ୍ ଓ ଋତୁରାଜ ଗାଏକ୍ବାଡ୍ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ମୋଇନ ଅଲ୍ଲୀ ଓ ଚତୁର୍ଥରେ ଆସୁଥିବା ସୁରେଶ ରାଇନାଙ୍କର ଯେ କୌଣସି ମ୍ୟାଚ୍ର ଗତିପଥ ବଦଳାଇ ଦେବାର ପୂରା ଦକ୍ଷତା ରହିଛି। ସନ୍ରାଇଜର୍ସ ସ୍ପିନର ରସିଦ ଖାନ୍ ଏମାନଙ୍କ ପାଇଁ ବିପଦ ହୋଇ ପାରନ୍ତି। ହେଲେ ରସିଦଙ୍କୁ ଛାଡ଼ିଦେଲେ ଏହି ଦଳର ବୋଲିଂ ବାହିନୀ ସେତେଟା ଶକ୍ତିଶାଳୀ ମନେ ହେଉନି। ଭୁବନେଶ୍ବରଙ୍କୁ ନେଇ ଆଶଙ୍କା ଲାଗି ରହିଛି। ଟି. ନଟରାଜନ ପୂରା ଋତୁରୁ ବାଦ ପଡ଼ିସାରିଛନ୍ତି। ସନ୍ରାଇଜର୍ସର ବ୍ୟାଟିଂ ମଧ୍ୟ ୱାର୍ଣ୍ଣର, ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମସନ୍ଙ୍କ ଉପରେ ପୂରା ନିର୍ଭରଶୀଳ। ଚେନ୍ନାଇ ପାଖରେ କିନ୍ତୁ ବେଶ୍ ଦକ୍ଷ ବୋଲର ରହିଛନ୍ତି। ଦୀପକ ଚହର, ସାମ୍ କରନ ଦ୍ରୁତ ବୋଲିଂ ବିଭାଗକୁ ସମ୍ଭାଳୁଥିଲା ବେଳେ ଜାଦେଜା ଓ ତାହିର ଯେ କୌଣସି ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିବାର ଦକ୍ଷତା ରଖନ୍ତି। ଅଧିନାୟକ ଧୋନିଙ୍କ ବ୍ୟାଟ୍ ଏବେ ସୁଦ୍ଧା ଶାନ୍ତ ରହିବା ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ଟିକିଏ ନିରାଶ କରିଛି। ଅଲରାଉଣ୍ଡର ଡ୍ବେନ୍ ବ୍ରଭୋ ବି ସେତେଟା ସୁଯୋଗ ପାଇ ନାହାନ୍ତି। ସନ୍ରାଇଜର୍ସ ବିପକ୍ଷରେ ଉଭୟ ନିଜ ପୁରୁଣା କମାଲ ଦେଖାଇବା ଆଶାରେ ରହିବେ।
ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଅସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।
ସନ୍ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।