ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରୁ ଭାରତ : ରୁଷ
![](https://thetruths.in/wp-content/uploads/2022/04/Russia.jpg)
ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଲଢେଇ ଶୁକ୍ରବାର ୩୭ତମ ଦିନରେ ପହଂଚିଛି । ଏହା ମଧ୍ୟରେ ଭାରତ ଗସ୍ତରେ ଆସିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ଲାଭରୋଭ । ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ । ଭାରତ ଏମିତି କଲେ ଆମର କୌଣସି ଆପତି ନାହିଁ । କାରଣ ୟୁକ୍ରେନ ଲଢେଇରେ ଆରମ୍ଭରୁ ଭାରତର ଆଭିମୁଖ୍ୟ ନିରପେକ୍ଷ ରହିଛି ଏବଂ ଆମେରିକା ଚାପର ବଶବର୍ତୀ ହୋଇ ନାହିଁ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ । ତେଣୁ ଭାରତ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରି ପାରିବ ।
ଲାଭରୋଭ କହିଛନ୍ତି, ରୁଷ ଭାରତ ସହିତ କୌଣସି ପ୍ରକାରର ଯୋଗାଣ ପାଇଁ ପ୍ରତିବଦ୍ଧ ।
ରୁଷର ଅଶୋଧିତ ତୈଳ କ୍ରୟ ଉପରେ ଲାଭରୋଭ କହିଛନ୍ତି, ଯଦି ଭାରତ ରୁଷଠୁ କିଛି ବି କିଣିବାକୁ ଚାହୁଁଛି ତେବେ ଏହା ଉପରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଶୁକ୍ରବାର ନୂଆଦିଲ୍ଲୀରେ ଭାରତ ନେତାଙ୍କ ସହିତ ବୈଠକ କରିଛନ୍ତି । ଭାରତ ଆସିବା ପୂର୍ବରୁ ଲାଭରୋଭ ଚୀନ ଗସ୍ତ କରିଥିଲା । ଏଥିରୁ ସ୍ପଷ୍ଟ ଯେ, ରୁଷ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର କଟକଣା ଜବାବରେ ଏସୀୟ ରାଷ୍ଟ୍ରଗୁଡିକୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଛି । ଲାଭରୋଭ ଶୁକ୍ରବାର ଭାରତୀୟ ପ୍ରତିପକ୍ଷ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରି କହିଛନ୍ତି, ୟୁକ୍ରେନ ସହ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରି ପାରିବ । ଏଥିରେ ଆମର କୌଣସି ଆପତି ନାହିଁ । କାରଣ ଭାରତ ଆରମ୍ଭରୁ ଏହି ଯୁଦ୍ଧରେ ନିରପେକ୍ଷ ରହି ଆସିଛି । ଏପରିକି ଆମେରିକା ଚାପ ବଶବର୍ତୀ ହୋଇ ନାହିଁ ଭାରତ ବୋଲି ଲାଭରୋଭ କହିଛନ୍ତି ।