ଭାରତକୁ ପ୍ରଶଂସା କଲା ମିଳିତ ଜାତିସଂଘ, ଭାରତୀୟଙ୍କ ଜୀବନଶୈଳୀରେ ଦ୍ରୁତ ଭାବରେ ପରିବର୍ତ୍ତନ ସହ ହ୍ରାସ ପାଇଛି ଦାରିଦ୍ର୍ୟତା
![](https://thetruths.in/wp-content/uploads/2023/07/India-has-been-praised-by-the-United-Nations-1024x576.jpg)
ନୂଆଦିଲ୍ଲୀ : ଜନସଂଖ୍ୟା ହିସାବରେ ଭାରତ ଏବେ ଦୁନିଆର ସବୁଠୁ ବଡ଼ ଦେଶ ହୋଇଛି। ତେବେ ଏହା ସହ ଭାରତ ଦୁନିଆର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଏକ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟ ହୋଇଛି। ଏହାରି ମଧ୍ୟରେ ମିଳିତ ଜାତିସଂଘର ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ଭାରତର ଖୁବ୍ ପ୍ରଶଂସା ହୋଇଛି। ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷରେ ଭାରତରେ ଲୋକଙ୍କ ଜୀବନଶୈଳୀରେ ଦ୍ରୁତ ଭାବରେ ପରିବର୍ତ୍ତନ ହୋଇଛି। ଏଥିସହିତ ଦାରିଦ୍ର୍ୟତା ମଧ୍ୟ ହ୍ରାସ ପାଇଛି।
ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଅର୍ଥାତ୍ ୟୁଏନଡିପି ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିର ଅକ୍ସଫୋର୍ଡ ପୋଭର୍ଟି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଇନିସିଏଟିଭ ଦ୍ବାରା ପ୍ରସ୍ତୁତ ରିପୋର୍ଟ ମଙ୍ଗଳବାର ଜାରି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଗତ ୧୫ ବର୍ଷରେ ଭାରତ ୪୧.୫ କୋଟି ଲୋକ ଦାରିଦ୍ର୍ୟତାରୁ ବାହାରକୁ ଆସିଛନ୍ତି। ଯେଉଁଥିରୁ ଜଣାପଡ଼ୁଛି ଯେ, ଭାରତ ନିକଟରେ ଦାରିଦ୍ର୍ୟ କମ୍ କରିବା ଦିଗରେ ଭଲ କାମ କରିଛି। ରିପୋର୍ଟରେ ଭାରତରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବା କହିଛନ୍ତି।
ତଥ୍ୟ ଅନୁଯାୟୀ, ବର୍ଷ ୨୦୦୫-୨୦ରେ ଭାରତରେ ଗରିବଙ୍କ ସଂଖ୍ୟା ୬୪.୫ କୋଟି ଥିଲା। ୨୦୧୫-୧୬ରେ ଏହା କମି ୩୭ କୋଟି ଏବଂ ୨୦୧୯-୨୧ରେ ଏହା କେବଳ ୨୩ କୋଟି ରହିଥିଲା। ଏଭଳି ଭାବରେ ଦେଖିଲେ ୧୫ ବର୍ଷରେ ଭାରତରେ ଗରିବଙ୍କ ସଂଖ୍ୟାରେ ପ୍ରାୟ ଦୁଇ ତୃତୀୟାଂଶ ଅର୍ଥାତ୍ ୬୫ ପ୍ରତିଶତ କମ୍ ହୋଇଛି। ସେହିପରି, ଏହି ୧୫ ବର୍ଷରେ ଭାରତରେ ଶିଶୁ ମୃତ୍ୟୁ ହାର ୪.୫ ପ୍ରତିଶରୁ ୧.୫କୁ ଖସିଛି। ରୋଷେଇ ପାଇଁ ହେଉଥିବା ଇନ୍ଧନ ଆବଶ୍ୟକତା ୫୨.୯ ପ୍ରତିଶତରୁ କମ୍ ହୋଇ ୧୩.୯ ପ୍ରତିଶତ ରହିଛି। ପାଣି ଏବଂ ବିଜୁଳିରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ମଧ୍ୟରେ ହ୍ରାସ ହୋଇଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ବ୍ୟତୀତ ୨୪ ଅନ୍ୟ ଦେଶ ମଧ୍ୟ ଏଥିରେ ସଫଳତା ହାସଲ କରିଛନ୍ତି। ସେହି ଦେଶରେ କାମ୍ବୋଡ଼ିଆ, ଚୀନ, କଙ୍ଗୋ, ହୋଣ୍ଡୁରାସ, ଇଣ୍ଡୋନେସିଆ, ମରୋକ୍କୋ, ସର୍ବିଆ ଏବଂ ଭିଏତନାମ ସାମିଲ ରହିଛି। ସୂଚନାଥାଉକି, ଭାରତ ନିକଟରେ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଛି। ମିଳିତ ଜାତିସଂଘ ହିସାବରେ ଏପ୍ରିଲରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ପହଞ୍ଚିଛି। ଆଉ ଏହା ସହ ଭାରତ ଚୀନକୁ ଟପିଛି। ତେବେ ଗରିବୀରେ ଆସିଥିବା ଏହି ହ୍ରାସ ବେଶ୍ ଉଲ୍ଲେଖନୀୟ।