ଓଡିଶାରେ ଜନସଂଖ୍ୟାର ୨୯.୩୫ % ଦରିଦ୍ର
![](https://thetruths.in/wp-content/uploads/2022/04/Odisha.jpg)
ଭୁବନେଶ୍ୱର : ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ) ଅନ୍ତର୍ଗତ ହେଡ୍ କାଉଂଟ ରେସିଓ ଅନୁଯାୟୀ ଓଡିଶାରେ ଜନସଂଖ୍ୟାର ୨୯.୩୫ % ଦରିଦ୍ର ବୋଲି ଆକଳନ କରାଯାଇଛି । ଏହି ସୂଚକାଙ୍କ ଅନୁଯାୟୀ ଦାରିଦ୍ର୍ୟର ତୀବ୍ରତା ଓଡିଶାରେ ୪୬.୪୨% । ତେବେ ଏହା ଜାତୀୟ ହାର ଠାରୁ କମ୍ । ଦେଶରେ ଦାରିଦ୍ର୍ୟର ତୀବ୍ରତା ୪୭.୧୩ % ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ପ୍ରକାଶ କରିଛନ୍ତି ।
ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ ୨୦୦୪-୫ ବର୍ଷରୁ ୨୦୧୧-୧୨ ବର୍ଷ ମଧ୍ୟରେ ରାଜ୍ୟର ଦାରିଦ୍ୟ୍ର ହାର ୨୪.୬% ହ୍ରାସ ପାଇଛି । ଯୋଜନା ଆୟୋଗ ଦ୍ୱାରା ତେନ୍ଦୁଲକର ମେଥେଡୋଲୋଜି ଅନୁଯାୟୀ ରାଜ୍ୟର ଦାରିଦ୍ର୍ୟ ହାର ୨୦୦୪-୦୫ ବର୍ଷରେ ୫୭.୨ ପ୍ରତିଶତ ଥିଲା । ୨୦୧୧-୧୨ ବର୍ଷରେ ତାହା ୩୨.୬%କୁ ହ୍ରାସ ପାଇଛି ।
ଅପରପକ୍ଷରେ ଦାରିଦ୍ର୍ୟ ଦଳରୀକରଣ ପାଇଁ ରାଜ୍ୟରେ ଓଡିଶା ଜୀବିକା ମିଶନ, କାଳିଆ ଓ ମମତାଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କା ଘର, ରିହାତି ଦରରେ ଖାଦ୍ୟ ଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟରେ ମହିଳାଙ୍କୁ ଅର୍ଥନୈତିକ ସଶକ୍ତିକରଣ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନଗଦ ବିହୀନ ଚିକିତ୍ସା , ଏମଜିନରେଗା ଓ ମୁକ୍ତା ଯୋଜନାରେ ବ୍ୟବସ୍ଥା କରାଯାଇଛି । ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର୍ୟ ବା ଆବସୋଲ୍ୟୁଟ୍ ପୋଭର୍ଟି ହ୍ରାସ ପାଉଛି ବୋଲି ମନ୍ତ୍ରୀ କହିଛନ୍ତି ।