ମୋଟାପଣ ପାଇଁ ଦାୟୀ ଜିନ୍ ଚିହ୍ନଟ
ବର୍ତମାନ ମୋଟାପଣକୁ ନେଈ ବିଶ୍ୱର ଅଧିକାଂଶ ଲୋକ ଚିନ୍ତିତ । ଏ ପର୍ଯ୍ୟନ୍ତ ଏହାର ଅନେକ କାରଣ ଉପରେ ଅନୁମାନ ଲଗାଯାଇସାରିଛି । କିନ୍ତୁ ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏଭଳି ଏକ ଜିନ୍ର ଚିହ୍ନଟ କରାଯାଇଛି, ଯାହା ମୋଟାପଣ ପାଇଁ ଦାୟୀ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଭିନ୍ନ ଭିନ୍ନ ପ୍ରାଣୀଙ୍କ ଉପରେ କରାଯାଇଥିବା ଗବେଷଣା ପରେ ଆମେରିକାର ନର୍ଥ କ୍ୟାରୋଲିନା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଜିନ୍ର ସନ୍ଧାନ କରିଛନ୍ତି; ଯାହା ମନୁଷ୍ୟ ଶରୀରର ଆକାର, ଆକୃତି, ଉଚ୍ଚତା ଏବଂ ମୋଟାପଣକୁ ପ୍ରଭାବିତ କରିଥାଏ ।
ଗବେଷଣାରୁ ମିଳିଥିବା ନିଷ୍କର୍ଷରୁ ଏହା ଜାଣିବାରେ ସହଜ ହୋଇଛି ଯେ, ମୋଟାପଣକୁ କିଭଳି ପ୍ରକାରେ ଏହା ସ୍ଥିର କରିନିଏ । ଅର୍ଥାତ୍ କେଉଁ ମଣିଷ କିଭଳି ମୋଟା ହେବ । ଜର୍ଣ୍ଣାଲ୍ ନେଚର୍ ଜେନେଟିକ୍ସରେ ପ୍ରକାଶିତ ଗବେଷଣାରେ, ବୈଜ୍ଞାନିକମାନେ କ୍ରୋମୋଜୋମ୍ରେ ୨୪ କୋଡିଂ ଜିନ୍ର ସନ୍ଧାନ ପାଇଥିଲେ । ତନ୍ମଧ୍ୟରୁ ୧୫ଟି ସାମାନ୍ୟ ଥିବାବେଳେ ଅନ୍ୟ ୯ଟି ଥିଲା ଦୁର୍ଲଭ । ଏହା ଅଂଟା ଏବଂ ଜଙ୍ଘର ଆକାର ଅନୁପାତକୁ ପୂର୍ବନିର୍ଦ୍ଧାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଯେଉଁ ଲୋକଙ୍କ ଅଂଟା ଏବଂ ଜଙ୍ଘ ଅଧିକ ମୋଟା ଥାଏ, ସେମାନଙ୍କ ମଧ୍ୟରେ ମୋଟାପଣ ସହ ଜଡ଼ିତ ରୋଗ ଅଧିକ ଥିବା ଦେଖାଯାଏ ଏବଂ ଏହି ୯ ଦୁର୍ଲଭ ଜିନ୍ ଥିବା ଜଣାଯାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।