ଆଇସିସି ଦିନିକିଆ ମାନ୍ୟତା : ତୃତୀୟ ସ୍ଥାନ ମଜବୁତ କଲା ଭାରତ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ୍ ଜିତିଛି । ତୃତୀୟ ବିଜୟ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଆଇସିସି ଦିନିକିଆ ରାଙ୍କିଙ୍ଗରେ ନିଜର ତୃତୀୟ ସ୍ଥାନ ଆହୁରି ମଜବୁତ କରିଛି । ୧୦୯ ପଏଂଟ ସହ ଦଳ ପାକିସ୍ତାନ ଭାରତ ଠାରୁ ଆଗରେ ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ୧୨୮ ରେଟିଂ ପଏଂଟ ସହ ଦିନିକିଆ ମାନ୍ୟତାରେ ଶୀର୍ଷରେ ରହିଛି ।
ଜୋସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାରିବା ସତ୍ୱେ ୧୨୧ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ୱିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ୧୨୫ ରନର ଦମଦାର ଶତକୀୟ ଇନିଂସ ଦମରେ ଭାରତ ଘରୋଇ ଦଳକୁ ୫ ୱିକେଟରେ ପରାସ୍ତ କରିଛି । ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି । ଆଗାମୀ ସପ୍ତାହରେ ଆଇସିସି ଦିନିକିଆ ମାନ୍ୟତାରେ ପରିବର୍ତନ ହୋଇପାରେ । କାରଣ ଷଷ୍ଠ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ପାକିସ୍ତାନଠୁ ସାତ ପଏଂଟ ପଛରେ ରହିଛି । ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ନିଜର ତିନି ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିନିଏ ତେବେ ପାକିସ୍ତାନକୁ ପଛରେ ପକାଇ ଚତୁର୍ଥରେ ପହଂଚିଯିବ । ଏହା ବାଦ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶୁକ୍ରବାରଠୁ ଭାରତର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ସେପଟେ ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଛି । ପାକିସ୍ତାନ ଆଗାମୀ ଦିନିକିଆ ସିରିଜ୍ ଅଗଷ୍ଟରେ ନେଦରଲାଣ୍ଡ ବିପକ୍ଷରେ ଖେଳିବ । ତେଣୁ ଅଗଷ୍ଟ ମାସରେ ଆଇସିସି ଦିନିକିଆ ରାଙ୍କିଙ୍ଗ ଉପର ତଳ ଲାଗି ରହିବ ।
ସୂଚନା ଯେ, ପନ୍ତଙ୍କ ଦମଦାର ଶତକ ବଳରେ ଆଠ ବର୍ଷ ପରେ ଦିନିକିଆ ସିରିଜ୍ କବଜା କଲା ଭାରତ । ଇଂଲଣ୍ଡ ମାଟିରେ ଇଂରେଜ ଦଳକୁ ଧୂଳି ଚଟାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ । ଋଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଦମରେ ନିର୍ଣ୍ଣାୟକ ମୁକାବିଲାକୁ ୫ ୱିକେଟରେ ଜିତି ନେଇଛି ଭାରତ । ପନ୍ତ ଏବଂ ପାଣ୍ଡ୍ୟା ଶତକୀୟ ଭାଗିଦାରୀ ଯୋଡି ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଥିଲେ । ମୋଇନ ଅଲ୍ଲୀ ୩୪ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୪୨.୧ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି । ପନ୍ତ ୧୨୫ ରନର ଦମଦାର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ପାଣ୍ଡ୍ୟା ୭୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି ।