ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା, ଫେରିଲେ ହୋଲ୍ଡର
ନୂଆଦିଲ୍ଲୀ : ଓ୍ୱେଷ୍ଟଇଣ୍ଡିଜ ଗସ୍ତରେ ଯିବା ଭାରତ । ଏଠାରେ ଦଳ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଶୁକ୍ରବାର କୁଇନ୍ସ ପାର୍କ ଓଭାଲରେ ଖେଳାଯିବ। ତେବେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା ହୋଇଛି । ଦଳକୁ ଫେରିଛନ୍ତି ଅଲରାଉଣ୍ଡର ଜାସନ ହୋଲଡର। ତାଙ୍କୁ ବାଂଲାଦେଶ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଏହି ସିରିଜକୁ ବାଂଲାଦେଶ ୩-୦ରେ କ୍ଲିନ୍ ସ୍ୱିପ୍ କରିନେଇଥିଲା ।
ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିଛନ୍ତି ଜାସନ ହୋଲଡର। ୱେଷ୍ଟଇଣ୍ଡିଜ୍ ପାଇଁ ସବୁ ଫର୍ମାଟ୍ରେ ଖେଳିଥିବା ହୋଲଡର ୧୨୭ ଦିନିକିଆରେ ୨୪.୬୩ ହାରରେ ୧୪୬ ୱିକେଟ୍ ଅକ୍ତିଆର କରିଛନ୍ତି। ଏହି ପୂର୍ବତନ ଅଧିନାୟକ ନିକଟରେ ବାଂଲାଦେଶ ବିପକ୍ଷ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ। ସେହିପରି ଇଣ୍ଡିଜ ଦଳର ନେତୃତ୍ୱ ଭାର ନିକୋଲାସ ପୁରନଙ୍କ ହାତରେ ରହିଛି । ସେହିପରି ସାଇ ହୋପଙ୍କୁ ଉପଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡିବ । ଏତତ୍ ବ୍ୟତୀତ ଅଲଜାରୀ ଜୋସେଫ, ରୋବମ୍ୟାନ୍ ପାଓ୍ୱେଲ, ବ୍ରାଣ୍ଡନ୍ କିଙ୍ଗ୍ ଓ କାଇଲ ମେୟର୍ସଙ୍କୁ ଟିମରେ ସ୍ଥାନ ମିଳିଛି । ସୂଚନା ଯେ, ଭାରତ ଏହି ସିରିଜ୍ ପାଇଁ ପୂର୍ବରୁ ଦଳ ଘୋଷଣା କରି ସାରିଛି । ଏଥିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ ଓ ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ଭାରତର ନେତୃତ୍ୱ ଭାର ଶିଖର ଧାଓ୍ୱନଙ୍କୁ ଦିଆଯାଇଛି । ସେହିପରି ରବିନ୍ଦ୍ର ଜାଡେଜା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।
ୱେଷ୍ଟଇଣ୍ଡିଜ୍ ଦଳ:
ନିକୋଲାସ ପୂରନ (ଅଧିନାୟକ), ସାମର ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲଡର, ସାଇ ହୋପ, ଅକିଲ ହୁସେନ, ଅଲ୍ଜାରି ଯୋଶେଫ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡ଼ାକେଶ ମୋତି, କେମୋ ପଲ, ରୋଭମାନ ପାୱେଲ, ଜେଡେନ ସିଲ୍ସ।