‘ଭିଏଲ-ଏସଆର ସାମ୍’ର ସଫଳ ପରୀକ୍ଷଣ
![](https://thetruths.in/wp-content/uploads/2022/06/VL-SRSAM-Missile.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ (ଭିଏଲ-ଏସଆର ସାମ୍)ର ଉତ୍କ୍ଷେପଣ ଶୁକ୍ରବାର କରାଯାଇଛି । ସଫଳତାର ସହ ଏଡି ମିସାଇଲର ପ୍ରଥମ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କରାଯାଇଛି। ଡିଆରଡିଓ ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି । ଇଣ୍ଟିଗ୍ରେଟେଡେ ଡିଜାଇନରେ ପ୍ରସ୍ତୁତ ହୋଇଛି ଭର୍ଟିକାଲ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ। ଏକ ଅତ୍ୟାଧୁନିକ ବାୟୁସେନା ପ୍ରତିରକ୍ଷା ପ୍ରଣାଳୀ ଏଥିରେ ରହିଛି। ଗୋଟିଏ ଥରରେ ଏହି ମିସାଇଲ ଏକାଧିକ ସ୍ଥାନକୁ ଟାର୍ଗେଟ କରିପାରିବ। ପ୍ରାୟ ୪୦ କିଲୋ ମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।
ଭିଏଲ-ଏସଆର ସାମ୍ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ । ଯାହାକି ସମୁଦ୍ର ପତନ ଉପରେ କ୍ଷୀପ୍ର ବେଗରେ ଆସୁଥିବା ଲକ୍ଷ୍ୟ ବା ସି ସ୍କିମିଂ ଟାର୍ଗେଟ ସମେତ ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଏବଂ ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ । ଆକାଶମାର୍ଗରେ ଏକ ନକଲି ବିମାନରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟ ବିରୋଧରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଉତ୍କ୍ଷେପଣ କରାଯାଇଥିଲା ଏବଂ ଏହା ସଫଳତା ପୂର୍ବକ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ନିୟୋଜିତ ହୋଇଥିବା ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି ଓ ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା । ଡିଆରଡିଓ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସାମିଲ ହେବା ଫଳରେ ଆକାଶମାର୍ଗରୁ ଆସୁଥିବା ବିପଦ ବିରୋଧରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଗୁଡ଼ିକର କ୍ଷମତା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି । ସେହିପରି ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ଭିଏଲ-ଏସଆର ସାମ୍ର ସଫଳ ପରୀକ୍ଷଣ ପାଇଁ ଭାରତୀୟ ନୌସେନା ଏବଂ ଡିଆରଡିଓ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ ହେବା ଦ୍ୱାରା ଭାରତୀୟ ନୌସେନାର ପ୍ରତିରକ୍ଷା ସାମର୍ଥ୍ୟ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏହି ସଫଳ ପରୀକ୍ଷଣରେ ସାମିଲ ଥିବା ଦଳକୁ ପ୍ରଶଂସା କରିଛନ୍ତି । ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ ସାମିଲ ହେବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରୁ ପ୍ରମାଣିତ ହୋଇଛି । ସେହିପରି ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛନ୍ତି ।