ପ୍ରତିଦିନ ଯୋଗ ଶରୀର ପାଇଁ କେତେ ଲାଭଦାୟକ ? ଜାଣନ୍ତୁ କ’ଣ କରିବା ଉଚିତ୍

ଯୋଗ ଏବଂ ପ୍ରାକୃତିକ ଚିକିତ୍ସାର ମୂଳଲକ୍ଷ୍ୟ ବ୍ୟକ୍ତିକୁ ସୁସ୍ଥ ରଖିବା ସହିତ ମନ ଓ ଶରୀରକୁ ନୀରୋଗ ରଖିବା । ସ୍ୱାସ୍ଥ୍ୟ ଠିକ୍ ରହିବା ଓ ରୋଗାକ୍ରାନ୍ତ ହେବା ଶରୀରର ତ୍ରିଦୋଷ ସ୍ଥିତି ଉପରେ ନିର୍ଭର କରିଥାଏ । ଦିନର ଅଲଗା ଅଲଗା ସମୟରେ ତଥା ବର୍ଷର ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଦୋଷର ସଞ୍ଚୟ, ପ୍ରକୋପ ଓ ସମନ ସ୍ଵାଭାବିକ ରୂପେ ପ୍ରକୃତିର ଗୁଣ ଦ୍ଵାରା ହୋଇଥାଏ । ଏହି ତ୍ରିଦୋଷର ସାମାନ୍ୟ ଅବସ୍ଥା ବଜାୟ ରଖିବା ପାଇଁ ଯୋଗ ଓ ପ୍ରାକୃତିକ ଚିକିତ୍ସାରେ ଦିନ ଓ ରାତିରେ ଆହାର ବିହାର ବିଷୟରେ ଉଲ୍ଲେଖ ହୋଇଛି । ଦିନଚର୍ଯ୍ୟା ଦ୍ଵାରା ନିଜ ଆଚରଣରେ ପରିବର୍ତ୍ତନ କରି ସ୍ଵାସ୍ଥ୍ୟରକ୍ଷା କରିବା ସହିତ ରୋଗ ଆକ୍ରମଣରୁ ରକ୍ଷା ପାଇପାରିବା ।
ପ୍ରତିଦିନ ଯୋଗ କରନ୍ତୁ :
ସମସ୍ତେ ଜାଣନ୍ତି ଯୋଗ ଅଭ୍ୟାସ ଶରୀର ପାଇଁ କେତେ ଉପକାରୀ । ଆଜିକାଲି ସରକାର ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ,ଆତ୍ମା ଏକ ସହ କାମ କରେ । ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିସ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରେ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ । କେତେକ ମନେ କରନ୍ତି ଯେ ଏକ ଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ । କିନ୍ତୁ ଏହା ଠିକ୍ ନୁହେଁ ।
ଶରୀର ପାଇଁ ଲାଭଦାୟକ :
ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ । ଏହାର କିଛି ପଦ୍ଧତି ରହିଛି । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ । ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ । ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ । ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ । ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ । ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । ଯଦି ନିୟମିତ ଯୋଗ କରିବାକୁ ଚାହୁଁଛନ୍ତି ତା’ହେଲେକିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।
କ’ଣ କରିବା ଉଚିତ୍ :
ଯୋଗ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ । କାରଣ ଅସୁସ୍ଥ ଥିଲେ ଯୋଗ କରିବା ଅନୁଚିତ ।
ଯୋଗ କରିବାର ପ୍ରକୃଷ୍ଠ ସମୟ ହେଲା ସକାଳ ଓ ସନ୍ଧ୍ୟା ସମୟ ।
ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ ।
ଯୋଗ କରିବା ପୂର୍ବରୁ ପେଟ ଖାଲି ରଖନ୍ତୁ ।
ଯୋଗ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ । ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ ।
ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ । ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ ।
୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ ।
ଯୋଗ କରିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ ।