ଅଗ୍ନି ବିପନ୍ନ ପରିବାରକୁ ଲାୟନ୍ସ କ୍ଲବ ପକ୍ଷରୁ ସହାୟତା
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର କଚୁଆପଡ଼ା ଗ୍ରାମର ଅଗ୍ନି ବିପନ୍ନ ପରିବାରକୁ ଲାୟନ୍ସ କ୍ଲବ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।
କଚୁଆପଡ଼ା ଗ୍ରାମର ସ୍ୱର୍ଗତ ଅଶୋକ ଜେନାଙ୍କ ପତ୍ନୀ ଗୌରୀମଣି ଓ ତାଙ୍କ ଝିଅ ସହିତ ତାଙ୍କର ଜଣେ ଭଉଣୀ ଘରେ ଥିବା ସମୟରେ ଗତ ମଙ୍ଗଳବାର ସନ୍ଧ୍ୟାରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀଙ୍କ ସହାୟତା ଏବଂ ବାଲିଆପାଳ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ଘରର କୌଣସି ଜିନିଷ ଉଦ୍ଧାର ହୋଇପାରି ନ ଥିଲା । ଗୌରୀମଣି ପରିବାର ସମ୍ପୂର୍ଣ୍ଣ ଭାବରେ ସର୍ବସ୍ୱ ହରାଇ ଥିଲେ । ଖବର ପାଇ ବାଲିଆପାଳ ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଲାୟନ ନବୀନ କୁମାର ପାତ୍ର, ଲାୟନ ଭୁବନ ମୋହନ ପିଳା, ଲାୟନ ଝାଡ଼େଶ୍ୱର ପ୍ରଧାନ ଓ ଲାୟନ ଡ. ଗୟାରାମ ଗଙ୍ଗାଇ ପ୍ରମୁଖ ଗୌରୀମଣିର ଘରକୁ ଯାଇ ତାରପୁଲିନ, କମ୍ବଳ, ଶାଢ଼ୀ, ମଶାରୀ, ମଶିଣା ଓ ତାରପୁଲିନ ବାନ୍ଧିବା ପାଇଁ ଦଉଡ଼ି ଆଦି ପ୍ରଦାନ କରିଛନ୍ତି ।