ଭୁବନେଶ୍ୱରରେ ପ୍ରବଳ ବର୍ଷା, କୃତ୍ରିମ ବନ୍ୟା ସୃଷ୍ଟି
![](https://thetruths.in/wp-content/uploads/2021/07/Artificial-Flooding.jpeg)
ଭୁବନେଶ୍ୱର : ଦିନ ସାରା ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । କିନ୍ତୁ ସଂଧ୍ୟା ୫ ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ପାଖାପାଖି ୪୫ ମିନିଟ୍ ବିଜୁଳି ଘଡଘଡି ସାଙ୍ଗକୁ ଅବିରତ ବର୍ଷା । ବର୍ଷା ଯୋଗୁଁ ରାଜଧାନୀବାସୀ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇଲେ । ତେବେ ତଳିଆ ଅଂଚଳରେ ପାଣି ପଶିଯାଇଥିଲା । ନୟାପଲ୍ଲୀ ସ୍ଥିତ ଇସ୍କନ୍ ସମ୍ମୁଖରେ ପାଣି ଜମା ହେବା ଫଳରେ ଏକାଧିକ ଗାଡି ଫସି ରହିଯାଇଥିଲା । ସେହିପରି ନୟାପଲ୍ଲୀ ବେହେରା ସାହି, ବମିଖାଲ, ଲକ୍ଷ୍ମୀ ସାଗର ଓ ସୁନ୍ଦରପଦା ଅଂଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଦୟନୀୟ ସ୍ଥିତି ହୋଇଥିଲା । ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯିବା ଆସିବା ଠପ୍ ହୋଇଯାଇଥିଲା । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସଂଧ୍ୟା ୫ଟା ୩୦ ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟ ଅଂଚଳରେ ୧୦.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାଜୀବ ଭବନ ଅଂଚଳରେ ୨୯ମିମି, ପଟିଆ ଅଂଚଳରେ ୨୭ ମିମି ବର୍ଷା ରେକର୍ଡ ହୋଇଛି ।
ବର୍ଷା ଦିନରେ ଆଉ ଖାଲି କଟକର ଗଳି କନ୍ଦିରେ ପାଣି ଜମୁଥିବାର ଚିତ୍ର ସାମ୍ନାକୁ ଆସୁନାହିଁ ଏବେ ଲିଷ୍ଟରେ ରାଜଧାନୀ ଭୁବନେଶ୍ୱର ବି ସାମିଲ ହୋଇଛି । ଅସରାଏ ବର୍ଷାରେ ସ୍ମାର୍ଟ ସିଟିର ସ୍ମାର୍ଟ ଗଳିକନ୍ଦିରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଏମିତି କି ରାଜଧାନୀର ରାଜରାସ୍ତା ବି ବୁଡି ଯାଉଛି ଘଣ୍ଟାଏ ବର୍ଷାରେ । ବର୍ଷା ପୂର୍ବରୁ ବିଏମସି ଅତି ତତ୍ପରତା ଦେଖାଇ ରାସ୍ତାରେ ଯେଉଁଭଳି ଭାବରେ ପାଣି ଜମି ନରହିବ, ପୁରୁଣା ଗାତ ଗୁଡିକର ମରାମତି, ଡ୍ରେନେଜ୍ ସିଷ୍ଟମକୁ ଠିକ୍ କରିବା ଉତ୍ୟାଦି କାମ ଆରମ୍ଭ କରି ବର୍ଷା ଦିନ ପାଇଁ ଆଗୁଆ ପସ୍ତୁତି ଆରମ୍ଭ କରିଦେଲା । ମାତ୍ର ଏବେ ସବୁ ଫଳ ଶୂନ । ବିଏମସିର ସବୁ ପୂର୍ବ ପ୍ରସ୍ତୁତି ଫେଲ ମାରିଛି ଅର୍ଥାତ୍ ଏବେ ସ୍ଥିତି ଯଥା ପୂବଂ ତଥା ପରଂ । ଆଜିର ଅସରାଏ ବର୍ଷା ପରେ ଯଦି ଆପଣ ଇସ୍କନ ମନ୍ଦିର ସମ୍ମୁଖ କିମ୍ବା ରସୁଲଗଡ, ପଳାଶୁଣୀ ଇତ୍ୟାଦି ସ୍ଥାନ ବୁଲି ଆସିଥିବେ ତାହାଲେ ପ୍ରକୃତ ସ୍ଥିତି ବୁଝିପାରୁଥିବେ । ଏବେବି ଇସ୍କନ ମନ୍ଦିର ସମ୍ମୁଖରରେ କାର ବୁଡିଯିବା ଭଳି ପାଣି ଜମି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୋଧହୁଏ ଥଣ୍ଡା ପାଗରେ ବିଏମସି କୁ ଗାଢ ନିଦ ଘାରିଛି । ସ୍ଥିତି ସୁଧାରିବା ତ ଦୂରର କଥା ଏପର୍ଯ୍ୟନ୍ତ ପାଣି ନିଷ୍କାସନ ବି ହୋଇ ପାରୁନି । ସବୁ ବର୍ଷ ଭଳି ବର୍ଷା ହେବ ପାଣି ଜମିବ ଆଉ କିଛି ସମୟ ପରେ ପାଗ ବଦଳିବ ଆଉ ପାଣି ଆପେ ଆପେ ଶୁଖିଯିବ, ଏଥିରେ ଭୁବନେଶ୍ୱର ମହାନଗର ନିଗମର କାମ କଣ ବୋଲି ଭାବି ନେଇ ହୁଏତ ଏଭଳି ସ୍ଥିତି ରାଜଧାନୀ ବାସୀଙ୍କ ଦେହଶୁହା ହୋଇଗଲାଣି ।