୫ ଜିଲାରେ ପଡ଼ିବ ଘନ କୁହୁଡ଼ି ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
![](https://thetruths.in/wp-content/uploads/2022/01/Heavy-Fog-2.jpg)
ଭୁବନେଶ୍ୱର : ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୫ଟି ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟ ଜିଲା ଅନ୍ୟତମ । ଏହି ୫ଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସେହିପରି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ କରାଯାଇଥିବା ବୁଲେଟିନରେ କୁହା ଯାଇଛି ଯେ ଆସନ୍ତା ୨୪ ଘଂଟା ପାଇଁ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ ଧରଣ ପରିବର୍ତନର ସମ୍ଭାବନା ନାହିଁ । ରାଜ୍ୟର ଜିଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ରହିଛି । ତେବେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଗଭୀରରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି ବୋଲି ଏଥିରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ, ଆସନ୍ତା ୨୪ ଘଂଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ରେ ମଧ୍ୟ କୌଣସି ବଡ଼ ପରିବର୍ତନର ସମ୍ଭାବନା ନାହିଁ । ତେବେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଜିଲାଗୁଡ଼ିକରେ ଦିନର ତାପମାତ୍ରାରେ କ୍ରମାଗତ ଭାବେ ୩ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ଓ ଶୀତ କମିଯିବ ବୋଲି ବୁଧବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ର ପକ୍ଷରୁ କୁହା ଯାଇଛି । ଗତ ୨୪ ଘଂଟା ମଧ୍ୟରେ ବଲାଙ୍ଗୀର ଠାରେ ସର୍ବାଧିକ ୨୭.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝର ଠାରେ ସର୍ବନିମ୍ନ ୯.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦିଆ ଯାଇଛି ।
କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଋତୁରେ ଲଘୁଚାପର ପ୍ରଭାବରେ ପାଗର କୌଣସି ସ୍ଥିରତା ରହୁନାହିଁ । ଶୀତ ଋତୁର ଆରମ୍ଭ ଠାରୁ ହିଁ କିଛି ଦିନ ବ୍ୟବଧାନରେ ଲଘୁଚାପ ସୃଷ୍ଟି ହେଉଥିବା ଯୋଗୁଁ ଲଗାତାର ଭାବରେ ଏବଂ କନ୍ଧମାଳରେ ତାପମାତ୍ରା ବଢିବା କମିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ଲମ୍ବା ହେଉନାହିଁ । ତଥାପି ଲଘୁଚାପ ଯୋଗୁଁ ହଠାତ୍ ତାପମାତ୍ରାରେ ପରିବର୍ତନ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଜିଲ୍ଲା ସଦରମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ୧୦.୩ ରହିଛି । ସେହିପରି ଦାରିଙ୍ଗବାଡ଼ିର ତାପମାତ୍ରା ଗତକାଲି ୯ ଡିଗ୍ରୀ ରହିଥିବା ବେଳେ ଆଜି ୮.୫ ଡିଗ୍ରୀ ରହିଛି । ଏହିଭଳି ଭାବରେ ତାପମାତ୍ରାର ଉତଥାନ ଓ ପତନ ଯୋଗୁଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।