ରାଜ୍ୟରେ ଘନ କୁହୁଡ଼ି ନେଇ ଆଲର୍ଟ
![](https://thetruths.in/wp-content/uploads/2022/01/Heavy-Fog-1-1024x576.jpg)
ରାତି ଓ ଭୋର ସମୟରେ ଗାଡ଼ି ଚାଳନା ଉପରେ ସତର୍କ ରହିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନର ଅଦିନିଆ ବର୍ଷା କମି ଯାଇଛି । ରାଜ୍ୟରେ ପୁଣିଥରେ ଆରମ୍ଭ ହୋଇଯାଇଛି ପ୍ରବଳ ଶୀତ । ଆଜିଠୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିଛି । ଶୀତି ବଢିବା ସହ ରାଜ୍ୟରେ ଘନ କୁହୁଡିର ଆର୍ଲଟ ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ଆସନ୍ତା କିଛି ଦିନ ପ୍ରବଳ ଶୀତ ଅନୁଭୂତ ହେବ । ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତୀ କିଛି ଦିନରେ ବି ଶୀତପ୍ରବାହ ଜାରି ରହିବ ।
କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ସୋମବାର ସକାଳେ ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ପଡ଼ିବାର ଅଧିକ ସମ୍ଭାବନା ରହିଛି । ୧୭ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ଅନୁଗୁଳର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୧୭ତାରିଖ ଦିନ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ୧୮ତାରିଖ ଦିନ ଘନକୁହୁଡ଼ି ପଡ଼ିବ । ଏଣୁ ପାଣିପାଗ ବିଭାଗ ଏହି ଦୁଇଦିନ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରିଛି ।
ଅନ୍ୟପଟେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ନୟାଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡି ଲାଗି ରହିବ ।