ସ୍ୱାସ୍ଥ୍ୟଗତ କାରଣ : ୨୮ ଦିନିଆ ଛୁଟିରେ ଗଲେ ସ୍ୱାସ୍ଥ୍ୟ ଏସିଏସ୍
ଭୁୁବନେଶ୍ୱର : ୨୮ ଦିନ ପାଇଁ ଛୁଟିରେ ଯାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟିରେ ଯାଇଛନ୍ତି । ତାଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ରାଜ୍ୟରେ କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜିଠୁ ଲମ୍ବା ଛୁଟିରେ ପଳାଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଅଚାନକ ଲମ୍ବା ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଲାଗିରହିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଛନ୍ତି। ତେବେ କୋଭିଡ୍ ମହାମାରୀର ତୃତୀୟ ଲହରର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଅନେକ ପଦକ୍ଷେପ ନେଇଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ମହାପାତ୍ରଙ୍କର ଏଭଳି ଲମ୍ବା ଛୁଟି ଉଭୟ ପ୍ରଶାସନିକ ଓ ରାଜନୀତିକ ମହଲରେ ଭ୍ରୁକୁଂଚନ ସୃଷ୍ଟି କରିଛି। ତାଙ୍କର ଅଚାନକ ଛୁଟିରେ ଯିବାକୁ ନେଇ ଆନୁଷ୍ଠାନିକ ଭାବେ କେହି ମୁହଁ ଖୋଲୁନଥିବାବେଳେ ତାଙ୍କ କାର୍ଯ୍ୟରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏଭଳି ନିଷ୍ପତ୍ତି ସେ ନେଇଥିବା ଚର୍ଚ୍ଚା ହେଉଛି।
ସୂଚନା ଯେ, ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍-୧୯କୁ ରାଜ୍ୟ ସରକାର ‘ମହାମାରୀ’ ଘୋଷଣା କରି ଏହାର ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦେଇଥିଲେ। ତତକାଳୀନ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ କାର୍ଯ୍ୟରେ ସରକାର ଅସନ୍ତୁଷ୍ଟ ହୋଇ ତାଙ୍କୁ ଅଚାନକ ହଟାଇବା ସହ ଶ୍ରୀ ମହାପାତ୍ରଙ୍କୁ ସେଠାରେ ଫୁଲଟାଇମ୍ ନିଯୁକ୍ତି ଦେଇଥିଲେ। କୋଭିଡ୍ ଭଳି ମହାମାରୀକୁ ପ୍ରଥମରୁ ଦକ୍ଷତାର ସହ ମୁକାବିଲା ତଥା ମାନବିକ ସମ୍ବେଦନଶୀଳତା ଦେଖାଇ ଶ୍ରୀ ମହାପାତ୍ର ସେତେବେଳେ ପ୍ରଶଂସା ସାଉଁଟିଥିଲେ। ତେବେ ସବୁକିଛି ଠିକ୍ଠାକ୍ ଥିବାବେଳେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ପଛରେ ପକାଇ ଅନ୍ୟଜଣେ ଦକ୍ଷ ଓଡ଼ିଆ ଆଇଏଏସ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ପଦବୀରେ ଅବସ୍ଥାପିତ କରିଥିଲେ। ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟ ସଚିବ ଭାବେ କରୋନା ମହାମାରୀ ମୁକାବିଲାରେ ପ୍ରମୁଖ ଭୂମିକା ତୁଲାଉଥିବାରୁ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ହଟାଯାଉ ନଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟରେ କୋଭିଡ୍ ଟିକା କାର୍ଯ୍ୟକ୍ରମକୁ ବି ଆଖିଦୃଶିଆ ସଫଳତା ମଧ୍ୟ ମିଳିଛି। ଏସବୁ ସତ୍ତ୍ୱେ ତାଙ୍କର ବିଭାଗୀୟ ବିଭିନ୍ନ କାର୍ଯ୍ୟ ଓ ନିଷ୍ପତ୍ତିରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ସେ ଲମ୍ବା ଛୁଟିରେ ପଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶ୍ରୀ ମହାପାତ୍ର ୨୦୨୪ ମେ’ ମାସରେ ସରକାରୀ ଚାକିରିରୁ ଅବସର ନେବେ।