ଗୌହାଟି ନଗର ନିଗମ ନିର୍ବାଚନ : ବିପୁଳ ବିଜୟ ହାସଲ କଲା ବିଜେପି
![](https://thetruths.in/wp-content/uploads/2022/04/Guwahati-Municipal-Corporation.jpeg)
ଗୌହାଟି : ଗୌହାଟି ନଗର ନିଗମ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି। ନିକଟରେ ପୂର୍ବୋତ୍ତର ରାଜ୍ୟ ଆସାମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ପରେ ରାଜଧାନୀ ଗୌହାଟି ନଗର ନିଗମ ନିର୍ବାଚନରେ ବାଜିମାତ କରିଛି ବିଜେପି।
ମୋଟ ୬୦ ୱାର୍ଡ ବିଶିଷ୍ଟ ଗୌହାଟି ନଗର ନିଗମ ଜିଏମସି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ୫୮ ସିଟ୍ ହାତେଇଥିବା ବେଳେ ଆମ ଆଦମୀ ପାର୍ଟି ଏବଂ ଆସାମ ଜାତୀୟ ପରିଷଦ ଗୋଟିଏ ଲେଖାଁଏ ଆସନ ପାଇଛନ୍ତି। ଜିଏମସି ନିର୍ବାଚନ ଫଳାଫଳ ଘୋଷଣା କରି ଆସାମ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଏହି ନିର୍ବାଚନରେ ବିଜେପି ୫୨ ଏବଂ ଏହାର ମେଣ୍ଟ ସହଯୋଗୀ ଆସାମା ଗଣ ପରିଷଦ ୬, ଆମ ଆଦମୀ ପାର୍ଟି ଏବଂ ଆସାମ ଜାତୀୟ ପରିଷଦ ଗୋଟିଏ ଲେଖାଁଏ ଆସନ ପାଇଛନ୍ତି। ପୂର୍ବରୁ ୩ ଜଣ ବିଜେପି ପ୍ରାର୍ଥ ଏହି ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
ଆମ ଆଦମୀ ପାର୍ଟି ପ୍ରାର୍ଥୀ ମାସୁମା ବେଗମ ୪୨ ନମ୍ବର ଏବଂ ଆସାମ ଜାତୀୟ ପରିଷଦ ପ୍ରାର୍ଥୀ ହୁକୁମ ଚାନ୍ଦ ଅଲ୍ଲୀ ୧ ନମ୍ବର ୱାର୍ଡରୁ ବିଜୟୀ ହୋଇଛନ୍ତି। ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ଏହି ନିର୍ବାଚନରେ ଖାତା ଖୋଲିପାରିନାହିଁ। ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି। ଶେଷ ଥର ୨୦୧୩ ବର୍ଷରେ ଗୌହାଟି ନଗର ନିଗମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୨ ଜିଏମସି ନିର୍ବାଚନରେ ୫୭ ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ୧୯୭ ପ୍ରାର୍ଥୀ। ପ୍ରାୟ ୭ ଲକ୍ଷ ୯୬ ହଜାର ୮୨୯ ଭୋଟର ଇଲେକଟ୍ରୋନିକ ଭୋଟିଂ ମେସିନ ଯୋଗେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନରେ ପ୍ରାୟ ୫୨.୮୦% ମତଦାନ ହୋଇଥିଲା। ଗତ ଶୁକ୍ରବାର ଏହି ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ସୂଚନା ଯେ, ଗତ ୨୦୧୩ ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା। ମାତ୍ର ନିର୍ବାଚନ ପରେ ଅନେକ କଂଗ୍ରେସ କର୍ପୋରେଟର ଦଳୀୟ ବିବାଦ କାରଣରୁ ଦଳ ଛାଡ଼ି ବିଜେପି ହାତ ଧରିଥିଲେ। ଯାହା ପରେ ବିଜେପି ଲାଗି ମୁନିସପାଲ୍ ବୋର୍ଡ ଗଠନ କରିବା ସୁଗମ ହୋଇଯାଇଥିଲା।