ଭଦ୍ରକରେ ଫୁଟିଲା ଗୁଳି : ପୋଲିସ୍ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର
![](https://thetruths.in/wp-content/uploads/2021/12/Police-Encounter.jpg)
ଭଦ୍ରକ : ସକାଳୁ ଭଦ୍ରକ ଜିଲ୍ଲାର ବରପଦା ନିକଟରେ ପୋଲିସ୍ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ବିଭିନ୍ନ ଲୁଟ୍ ଘଟଣାରେ ସମ୍ପୃକ୍ତ ଥାଇ ଦୀର୍ଘ ଦିନ ହେବ ପୋଲିସକୁ ନାକେଦମ କରି ଆସୁଥିଲେ। ସେମାନଙ୍କୁ ଧରିବାକୁ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।
ସେମାନେ ରହୁଥିବା ଘରକୁ ଚାରିପଟୁ ପ୍ରଥମେ ଘେରାଉ କରିଥିଲା ପୋଲିସ । ଏହା ପରେ ଏନକାଉଣ୍ଟର କରିଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏନକାଉଣ୍ଟରର ଶିକାର ହୋଇଥିବା ୨ ଅପରାଧୀ ହେଲେ ପ୍ରହ୍ଲାଦ ଦାସ ଓ ସୁଶାନ୍ତ ମଲ୍ଲିକ । ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ। ମାରଣାସ୍ତ୍ର ଦେଖାଇ ଲୁଟ୍ପାଟ କରୁଥିବା ସହ ବହୁ ହାଇୱେ ଲୁଟ୍ରେ ସାମିଲ ଥିଲେ । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିନାହିଁ । ସୂଚନା ଯେ, ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହି ଲୁଟ୍ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ଆଉ ଏହି ମାମଲାରେ ଚଢଉ ବେଳେ ଅଭିଯୁକ୍ତମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଶେଷରେ ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲେ।