ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର! ପ୍ରଥମଥର ପାଇଁ ଚାଲିବ ଡବଲ ଡ଼େକର ଟ୍ରେନ୍
![](https://thetruths.in/wp-content/uploads/2022/06/Double-Decker-Train.jpg)
ଭୁବନେଶ୍ୱର: ଓଡିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର । କାରଣ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଡବଲ ଡ଼େକର ଟ୍ରେନ ଚାଲିବାକୁ ଯାଉଛି । ରାଉରକେଲା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ ବଦଳରେ ଡବଲ ଡ଼େକର ଟ୍ରେନ ଚଳାଇବାକୁ ଏବେ ରେଳ ମନ୍ତ୍ରାଳୟ ପ୍ରସ୍ତୁତି ଚଳାଇଛି । ମିଳିଥିବା ସୂଚନା ମୁତାବକ ଦକ୍ଷିଣ ପୂର୍ବ ରେଲୱେର ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଏକ ଡବଲ୍ ଡେକର୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ରାଉରକେଲାରୁ ଭୁବନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ରାଉରକେଲା ଭୁବନେଶ୍ୱର ମଧ୍ୟରେ ଚାଲିଥିବା ଇଂଟରସିଟି ଏକ୍ସପ୍ରେସକୁ ଡବଲ ଡେକର ଟ୍ରେନରେ ରୂପାନ୍ତର କରିବାର ଯୋଜନା ରହିଛି ।
ଯଦି ପୂର୍ବତଟ ରେଳବାଇ ଶୀଘ୍ର ଡବଲ୍-ଡେକର୍ ଟ୍ରେନ ପାଇବ, ତେବେ ଆସନ୍ତା ଜୁଲାଇରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଏହା ଚାଲିବା ଆରମ୍ଭ କରିବ । ପୂର୍ବତଟ ରେଳବାଇ ଡବଲ ଡେକର ଟ୍ରେନର କାର୍ଯ୍ୟ ସମ୍ପର୍କରେ ଦକ୍ଷିଣ ପୂର୍ବ ରେଳବାଇର ପ୍ରିନ୍ସିପାଲ ମୁଖ୍ୟ ଅପରେସନ୍ ମ୍ୟାନେଜରଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ମାଧ୍ୟମରେ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ-ଡେକର ଟ୍ରେନ୍ ଚଳାଇବା ପାଇଁ କ୍ଲିୟରାନ୍ସ ମଗାଯାଇଥିଲା । ଆଉ ଚକ୍ରଧରପୁର ରେଳ ଡିଭିଜନ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ୍ ଡେକର୍ ଟ୍ରେନ୍ ଚଳାଇବା ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛି । ଏହା ଅଧୀନରେ ୨୫ ହଜାର ଭୋଲ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରକୁ ଉଚ୍ଚ କରି କ୍ଲିୟରାନ୍ସ ଦିଆଯାଇଛି । କ୍ଲିୟରାନ୍ସ ପାଇବା ପରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଆଶା ବଢିଛି । ବାସ୍ତବରେ ସ୍ଥାନୀୟ ଲୋକମାନେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଡବଲ ଡେକର ଟ୍ରେନ୍ ଚଳାଇବାକୁ ଦାବି କରିଥିଲେ । ପରେ ରେଳ ମନ୍ତ୍ରୀଙ୍କ ଉଦ୍ୟମରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ୍ ଚଳାଇବା ପାଇଁ ମାର୍ଗ ପ୍ରସ୍ତୁତ କରାଯାଇଛି । ସୂଚନା ଥାଉ କି ବର୍ତମାନ ଦେଶର ୧୩ଟି ରୁଟରେ ଡବଲ ଡ଼େକର ଟ୍ରେନ ଚଳାଚଳ କରୁଛି ।