କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ସରକାର କଲେ ଏହି ବଡ଼ ଘୋଷଣା
![](https://thetruths.in/wp-content/uploads/2022/09/Dearness-Allowance.jpg)
ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏହା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ବିଗତ ଦିନରେ ୮,୦୦୦ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଖୁବ ଶୀଘ୍ର କର୍ମଚାରୀ ଓ ତାଲିମ ବିଭାଗ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ଯାଉଛି । ଏହା ପୂର୍ବରୁ ଅଗଷ୍ଟରେ ପଦୋନ୍ନତି ହେବାର ଆଶା ଥିଲା ।
ସେପଟେ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଉପରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେପ୍ଟେମ୍ବର ୨୮ରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ମୋଦି ସରକାର ଘୋଷଣା କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂକୁ ବିଗତ ଦିନ କେନ୍ଦ୍ରୀୟ ସଚିବାଳୟ ରାଜଭାଷା ସେବା ଗ୍ରୁପ ଏର ଅଧିକାରୀଙ୍କ ଏକ ପ୍ରତିନିଧୀ ମଣ୍ଡଳ ସହ ସାକ୍ଷାତ କରିଥିଲେ । ଏହା ପରେ ପଦୋନ୍ନତି ସହ ଜଡିତ ଘୋଷଣା କରାଯାଇଛି । ସେତେବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ନିୟମ ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଶ୍ୱାସନା ଦେଇଥିଲେ । ଅଧିକାରୀଙ୍କ ପଦୋନ୍ନତି ପୂର୍ବରୁ ଅତିକମରେ ଏକ ବର୍ଷରୁ ୧୮ ମାସ ତାଲିମ ଆବଶ୍ୟକ ।
କେନ୍ଦ୍ର ରାଜ୍ୟମନ୍ତ୍ରୀ ପ୍ରତିନିଧି ମଣ୍ଡଳକୁ ଏହା ମଧ୍ୟ କହିଛନ୍ତି ଯେ, ସେ ସେମାନଙ୍କର ଦାବିକୁ ବିଚାର କରିବେ ଓ ପଦୋନ୍ନତିରେ ଆସୁଥିବା କୌଣସି ସମସ୍ୟା ଦୂର କରିବେ । ଭବିଷ୍ୟତରେ ସରକାରୀ କର୍ମଚାରୀଙ୍କ ପାଇଁ ସମସ୍ତ ପଦୋନ୍ନତି ସୁବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇ ୧ ରେ ୮,୦୮୯ କର୍ମଚାରୀ ପଦୋନ୍ନତି ପାଇଥିଲେ ।
ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧%ରୁ ୩୪%କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪% ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪% ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪%ରୁ ୩୮%କୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।