ଆସ ବୁଲିଯିବା- ‘ଗୋଆର ଦୁଧ୍ସାଗର ଜଳପ୍ରପାତ’

ଗୋଆର ଦୁଧ୍ସାଗର ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଜଳପ୍ରପାତକୁ ଦେଖିବାକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହେ । ଜଳପ୍ରପାତର ନାମକରଣକୁ ନେଇ ଏକ ଐତିହାସିକ ତଥ୍ୟ ରହିଛି । ପୂର୍ବେ ଏଠାରେ ଜଣେ ସୁନ୍ଦରୀ ରାଜକୁମାରୀ ରହୁଥିଲେ । ପ୍ରତିଦିନ ହ୍ରଦରେ ସ୍ନାନ କରିବାବେଳେ ସେ ସୁନା ଢାଳରେ କ୍ଷୀର ପିଉଥିଲେ । ଥରେ ସେ ସ୍ନାନ କରୁଥିବା ସମୟରେ ଗଛ ଆଢୁଆଳରୁ ଲୁଚି କେହି ଜଣେ ରାଜକୁମାର ଦେଖୁଥିଲେ । ଲାଜରେ ରାଜକୁମାରୀ ସେଠାରେ ଢାଳରୁ କ୍ଷୀର ଢାଳିଦେଲେ । ଏହା ଦେଖି ସଖୀମାନେ ଲଜ୍ଜା ନିବାରଣ ପାଇଁ ରାଜକୁମାରୀଙ୍କୁ ବସ୍ତ୍ର ପିନ୍ଧାଇଲେ ।
ସେହିଦିନରୁ ରାଜକୁମାରୀଙ୍କ ସମ୍ମାନାର୍ଥେ ପ୍ରବାହିତ ଜଳପ୍ରପାତର ନାମ ଦୁଧ୍ସାଗର ରଖାଯାଇଛି । ଏହାର ଜଳରାଶି ଦୁଗ୍ଧ ଭଳି ସ୍ୱଚ୍ଛ ଓ ନିର୍ମଳ । ଏଠାକୁ ଆସିଲେ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସହ ଭଗୱାନ୍ ମହାବୀର ଅଭୟାରଣ୍ୟ ଦେଖିପାରିବେ । ରଙ୍ଗବରେଙ୍ଗର ପଶୁ, ପକ୍ଷୀ, ସରୀସୃପ, ଉଦ୍ୟାନ ରହିଛି । ଟ୍ରେକିଂ ପାଇଁ ମଧ୍ୟ ଦୁଧ୍ସାଗର ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଭାରତର ବୃହତ୍ ଜଳପ୍ରପାତ ମଧ୍ୟରେ ଏହା ଷଷ୍ଠ ସ୍ଥାନ ଅଧିକାର କରିଛି । ବର୍ଷର ଯେକୌଣସି ସମୟରେ ଏ ସ୍ଥାନର ମଜା ଆପଣ ଉଠାଇପାରିବେ । ପାଣାଜିଠୁ ସଡ଼କପଥରେ ୬୦କି.ମି ଓ ମାଡ୍ଗାଓଁରୁ ଟ୍ରେନ୍ରେ ଗଲେ ୪୬କି.ମି ଦୂରରେ ଦୁଧ୍ସାଗର ଅବସ୍ଥିତ ।