ଗଞ୍ଜାମରେ ଦଣ୍ଡନାଚ ପାଇଁ ୨୫ ଜଣଙ୍କୁ ଅନୁମତି
ବ୍ରହ୍ମପୁର : ପ୍ରତିବର୍ଷ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ ଧୂମ୍ଧାମ୍ରେ ପାଳିତ ହୋଇଥାଏ। ଏଥିରେ ରାଜ୍ୟ ତଥ୍ୟ ପଡ଼ୋଶୀ ରାଜ୍ୟର ଲୋକମାନେ ସାମିଲ୍ ହୋଇଥାଆନ୍ତି। ତେବେ ଚଳିତବର୍ଷ କରୋନା ମହାମାରୀର ବଢ଼ୁଥିବା ଗ୍ରାଫ୍କୁ ଦେଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ପ୍ରତି ଗ୍ରୁପ୍ ରେ ୨୫ରୁ ଅଧିକ ଦଣ୍ଡୁଆ ରହିପାରିବେ ନାହିଁ । ବାହାର ଲୋକଙ୍କୁ ଦଣ୍ଡନାଚକୁ ଅନୁମତି ଦିଆଯିବ ନାହିଁ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ। ଦୋକାନୀମାନେ ପଞ୍ଚସୂତ୍ରୀ ନିୟମକୁ ଅନୁସରଣ କରିବେ । କରୋନା ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ଜିଲାପାଳ ।
ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ୨୫ ଜଣ ହିଁ ଭାଗ ନେଇପାରିବେ
— Collector & District Magistrate, Ganjam (@Ganjam_Admin) April 3, 2021
ରାତିରେ ଆଉ ପାରମ୍ପରିକ କାର୍ଯ୍ୟକ୍ରମ ହେବ ନାହିଁ
ତାରାତାରିଣୀ ପୀଠରେ ମୁଣ୍ଡନ କାର୍ଯ୍ୟ ବନ୍ଦ ରହିବ
ଜିଲ୍ଲାର ସମସ୍ତ ଦୋକାନୀ ସାମାଜିକ ଦୂରତା ସହ ପଞ୍ଚସୂତ୍ର ନିୟମ ପାଳନ କରିବେ
ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ @CMO_Odisha
ଜିଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲା ପ୍ରଶାସନ ଏସ୍ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ, ସେଥିରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ଏବଂ କୌଣସି ପରିସ୍ଥିତିରେ ସେଠାରେ ୧୦ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ।