ଆଜିଠୁ ବର୍ଷାରେ ପୁଣି ଭିଜିବ ଓଡ଼ିଶା, କମିବ ଶୀତ
![](https://thetruths.in/wp-content/uploads/2022/01/Odisha-Fog-Rain.jpg)
୨୪ ଘଣ୍ଟା ମଧ୍ୟରେ ୫ ଜିଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଲୁଚକାଳି ଖେଳୁଛନ୍ତି ଶୀତ ଆଉ ବର୍ଷା । ଆଜିଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତାର ଚାରି ଦିନ ପ୍ରବଳ ଶୀତ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିଲା । ତେବେ ଆଜିଠୁ କୁହୁଡ଼ି କମିବା ସହ କାଁ ଭାଁ କରିଲକ୍ଷିତ ହେବ । ଏହା ସହିତ ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆଜିଠୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଶୁକ୍ରବାର ଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଏହାସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦଖାଦେବ । ୨୨ ତାରିଖରେ ଉତ୍ତର ଓଡ଼ିଶା ସମେତ ବରଗଡ଼, ଝାରସୁଗୁଡ଼ା ଏବଂ ୨୩ରେ କେନ୍ଦ୍ରାପଡ଼ାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ତେବେ ଏହି ସମୟରେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।