ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି
ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଉମେନ ଚାଣ୍ଡିଙ୍କ ପରଲୋକ ହୋଇଛି । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ବେଙ୍ଗାଲୁରୁରେ ରହି ଚିକିତ୍ସିତ ହେଉଥିଲେ। ୭୯ ବର୍ଷ ବୟସରେ ଆଖି ବୁଜିଛନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ପୁଅ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ ଜର୍ମାନୀର ଚାରିଟ୍ ହସପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା ।
କେରଳ ରାଜନୀତିରେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ଵ ଥିଲେ ଚାଣ୍ଡି । ୨୭ ବର୍ଷ ବୟସରେ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଦୁଇ ଦୁଇ ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚାଣ୍ଡି । ପ୍ରଥମେ ସେ ୨୦୦୪ରୁ ୨୦୦୬ ଯାଏଁ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ୨୦୧୧ରୁ ୨୦୧୬ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୧୧ ଯାଏଁ ଚାଣ୍ଡି କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ଏକମାତ୍ର ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ଚାଣ୍ଡି ଜନସେବା ପାଇଁ ଜାତିସଂଘର ପୁରସ୍କାର ପାଇଥିଲେ ।