କରୋନା ସଙ୍କଟରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଗାୟକ ମୀକା ସିଂ
ମୁମ୍ବାଇ : କରୋନା ମହାମାରୀର ସଙ୍କଟରେ ବଲିଉଡର ସେଲିବ୍ରିଟିମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କେତେକ ଅକ୍ସିଜେନ୍ ସିଲିଣ୍ଡରର ସାହାଯ୍ୟ କରୁଥିବାବେଳେ ଆଉ କେହି ହସ୍ପିଟାଲରେ ବେଡ୍ । ଏହି ସମୟରେ ଗାୟକ ମୀକା ସିଂ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କରୋନା ସଙ୍କଟରେ ମୀକା ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ମୀକା କହିଛନ୍ତି ଯେ ସେ ଏକ ଏନଜିଓ ମାଧ୍ୟମରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି।
ସୋସିଆଲ ମିଡିଆରେ ମୀକା ସିଂଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ମୀକା ରାସ୍ତାରେ ଯାଉଥିବା ଅଟୋ ଚାଳକ ଏବଂ ଆରୋହୀମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଫ୍ୟାନ୍ସମାନେ ମୀକାଙ୍କ ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା କରୁଛନ୍ତି । ଏହାପୂର୍ବରୁ ମୀକା ଦିଲ୍ଲୀର ୧୦୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ ମୀକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହାପୂର୍ବରୁ ସେ କୃଷକ ଆନ୍ଦୋଳନରେ ବସିଥିବା ଲୋକଙ୍କ ପାଇଁ ପାଣି ବୋତଲର ବ୍ୟବସ୍ଥା କରିଥିଲେ।