ଯମୁନା ନଦୀରୁ ମୃତଦେହ ଠାବ, ଲୋକେ ଆତଙ୍କିତ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ଯମୁନା ନଦୀରୁ ମୃତଦେହ ଠାବ ହୋଇଛି । ଗଂଗା ନଦୀର ଶତାଧିକ ମୃତଦେହ ମିଳିବା ପରେ ଯମୁନା ନଦୀରୁ ଶବ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଯାଇଛି । ଲୋକଙ୍କ ମନରେ ସଂଦେହ ଜାତ ହୋଇଛି ଯେ, ଯମୁନା ନଦୀରୁ କୋଭିଡ-୧୯ରେ ମୃତ୍ୟୁ ହୋଇଥିବା ଲୋକଙ୍କର ଶବ । ମାତ୍ର ସୋମବାର ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହାକୁ ଖାରଜ କରିଦେଇଛନ୍ତି ।
ହମୀରପୁର ଜିଲ୍ଲାପାଳ ଜ୍ଞାନେଶ୍ୱର ତ୍ରିପାଠୀ ଏକ ବୟାନରେ କହିଛନ୍ତି ଯେ, ଲୋକଙ୍କ ସହିତ କଥାବାର୍ତ୍ତା ଏବଂ ଶବକୁ ଦେଖି ପ୍ରାଥମିକ ଆକଳନ ହୋଇଛି ଯେ, ଏହା କରୋନା ଭାଇରସଜନିତ ମୃତ୍ୟୁ ନୁହେଁ । କାରଣ ଶବ ଉପରେ ସାଧାରଣ ପରଂପରାଗତ ପୋଷାକ ରହିଛି । କରୋନାଜନିତ ମୃତ୍ୟୁ ହେଲେ ଶବକୁ ସ୍ୱତନ୍ତ୍ର ଭାବେ ପ୍ୟାକିଂକ କରାଯାଇଥାଏ । ସେ କହିଛନ୍ତି ଶବକୁ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ, ଚଳିତ ମାସ ୬ ତାରିଖରେ ହମୀରପୁରରେ ଯମୁନା ନଦୀ ପୋଲ ତଳୁ ଶବ ମିଳିବା ନେଇ ସୂଚନା ମିଳିଥିଲା । ଏହାକୁ ପ୍ରଶାସନ ଦ୍ୱାରା ନିରୀକ୍ଷଣ କରାଯାଇଥିଲା । ଘଟଣା ଦିନ ୪ଟ ଶବ ଭାସୁଥିବା ବେଳେ ଗୋଟିଏ ମୃତଦେହ ନଦୀକୂଳରେ ପଡ଼ିଥିଲା । ଘଟଣାର ତଦନ୍ତରେ ପ୍ରଶାସନ ଜାଣିବାକୁ ପାଇଥିଲା ଯେ, ଲୋକେ ନିଜର ଆତ୍ମୀୟଙ୍କ ମୃତ୍ୟୁ ପରେ ଶବକୁ ଯମୁନା ନଦୀରେ ଭସାଇଦେଇଥିଲେ ।