ବ୍ରାଜିଲରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି, ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି
![](https://thetruths.in/wp-content/uploads/2022/02/Flood-Landslides-in-Brazil.jpg)
ନୂଆଦିଲ୍ଲୀ: ବ୍ରାଜିଲର ରିଓଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତ ଉପୁଜିଛି । ଫଳରେ ୭୮ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଅଞ୍ଚଳରେ ୨୦୧୧ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତା’ପରେ ବର୍ଷା ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ମେୟର ରୁବେନ୍ସ ବୋମଟେମ୍ପୋ କହିଛନ୍ତି ଯେ ‘ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
ବୁଧବାର ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ଗଣମାଧ୍ୟମକୁ କହିଛନ୍ତିଯେ ଏହା ଏକ ଯୁଦ୍ଧ ପରି ପରିସ୍ଥିତି ଏବଂ ସେ ପ୍ରଭାବିତ ଅଞ୍ଚଳରୁ ଆବର୍ଜନା ସଫା କରିବା ପାଇଁ ପଡୋଶୀ ରାଜ୍ୟରୁ ଭାରୀ ଯନ୍ତ୍ର ସମେତ ସମସ୍ତ ସମ୍ଭାବ୍ୟ ସହାୟତା ପାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ ୧୮୦ ସୈନିକ ସାମିଲ ହୋଇଛନ୍ତି । ବିଭାଗ କହିଛି ଯେ ଏହି ଅଞ୍ଚଳକୁ ଦିନର ତିନି ଘଣ୍ଟା ମଧ୍ୟରେ ୨୫.୮ ସେମି ବର୍ଷା ହୋଇଛି । ଯାହା ପୂର୍ବ ୩୦ ଦିନରେ ହୋଇଥିବା ବର୍ଷା ସହିତ ସମାନ । ଋଷ ଗସ୍ତରେ ଆସୁଥିବା ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।